ଏକଲା ପକ୍ଷୀର କରୁଣ ଗାଥା
ଏକଲା ପକ୍ଷୀର କରୁଣ ଗାଥା
ମୁଁ ' ଯେ ନିରିମାଖୀ ସାଥୀହୀନ ଦୁଃଖୀ
ନୀଡ଼ ହଜା ନିରୀହ ପକ୍ଷୀଟିଏ ,
ଜଣା ନାହିଁ ମୋତେ କେ ଦେବ ଆଶରା
ଯାପିବି ରାତି ଟା ପାହିବା ଯାଏ ।
କିଏସେ ଶୁଣିବ ଅନ୍ତର ବେଦନା
କା 'ସାଥେ କହିବି ମନର କଥା ,
ମନର କୋହକୁ ମନରେ ମାରିଛି
ଭାବିଲେ ଲାଗଇ ହୃଦୟେ ବ୍ୟଥା ।
ଆଖିର ଲୁହକୁ ଛାତି ତଳେ ଧରି
ଦୁଃଖରେ କଟୁଛି ମୋ ରାତି ଦିନ ,
ସ୍ଵାର୍ଥପର ଏହି ମଣିଷ ଜାତିଟା
ଭାଙ୍ଗି ଦେଇଛି ମୋ 'ସୁନା ସପନ' ।
ଗଛ କୋରଡରେ ଦେଇ ଥିଲି ମୁହିଁ
କୁନି, କୁନି ଦୁଇ ସୁନ୍ଦର ଅଣ୍ଡା ,
ବୁଝିବା ଆଗରୁ କାଟିଦେଲା ଗଛ
ଶିରୀ ହୀନ କରି କରିଲା ଲଣ୍ଡା ।
ଅଣ୍ଡା ଦିଓଟି ମୋ' ତଳେ ପଡ଼ି ଫାଟି
ବୋହି ଚାଲିଗଲା ମୋ ' ଆଖି ଜଳେ ,
ସାଥୀ ହଜିଗଲା ନିମିଷ ମାତ୍ରକେ
ସେଦିନର କଟା ଗଛର ତଳେ ।
ସେ ଦିନୁ ଗଗନ ତଳେ ମୁଁ ଖୋଜୁଛି
ଡେଣା ଦୁଇଟି ମୋ ଥକି ଗଲାଣି ,
କିଏ ଦୋଷୀ ଆଜି ମୋ' ଦୁର୍ଦ୍ଦଶା ପାଇଁ
କୁହ ହେ ଆକାଶ କୁହ ଧରଣୀ ।
ଏ ମଣିଷ ଜାତି ଏତେ ସ୍ବାର୍ଥବାଦୀ
ହୋଇଲାଣି ଏବେ ବଡ଼ ନିଷ୍ଠୁର ,
କେହି ବୁଝୁନାହିଁ କେହି ଶୁଣୁନାହିଁ
ପଶୁ, ପକ୍ଷୀଙ୍କର କରୁଣ ସ୍ଵର ।
ଆଖି ଲୁହ ଆଜି ଆଖିରେ ମରୁଛି
ଭସା ଵାଦଲରେ ଘୁରି ବୁଲୁଛି ,
ନୀଡ଼ ହରା ପକ୍ଷୀ ନୀଡ଼ ଖୋଜି ଖୋଜି
ଯନ୍ତ୍ରଣାରେ ମୋର ଦିନ କଟୁଛି ।
