STORYMIRROR

Ratinarayan Rout

Tragedy

4  

Ratinarayan Rout

Tragedy

ଶେଷ ବିନତି

ଶେଷ ବିନତି

1 min
162


ବିନତି ଶୁଣିବା    ହେବକି ପ୍ରଭୁହେ

    ଅଭିଳାଷ କିଛି ଅଛି

ତବପାଦ ତଳେ   ଆସରା ଦେଇକି

    ପଥ ଦିଅ ମୋର ବାଛି ।1।

ଯେତେ ଦୁଃଖ ସୁଖ   ଜୀବନେ ଦେଇଛ

    ମଥା ପାତି ସହି ଅଛି

ସେ ସବୁକୁ ତବ    ପଦେ ସମରପି

    କରମ କରି ଚାଲିଛି ।2।

ସଂସାର ସୁଖଠୁ    ଦୂରେଇ ରଖିକି

   ସଂସାର କଲ କିମ୍ପାଇଁ

ପୁତ୍ର କନ୍ୟା ସୁଖ    ଛଡାଇ ନେଇକି

    ରୋଗ ଦୁଃଖ ଶୋକ ଦେଇ ।3।

ଭୋଗୀ ଅବା ଯୋଗୀ  କୂଳକୁ ନନେଇ

    ମଝିରେ ରଖିଲ କାହିଁ

ଭୋଗ ବିଳାସର  ସପନକୁ ଦେଖି

    ସମୟତ ଗଲା ବହି ।4।

ସୁଖ ସପନକୁ   ସାଉଁଟିବା ପାଇଁ

    ମନେ ଆଶା ଭରି ଦେଇ

ସଂସାର ସାଗରେ    ଠେଲି ଦେଇ ପ୍ରଭୁ

     ପର କରିଦେଲ କାହିଁ ।5।

କେଉଁ ଜନମର    କରମର ଫଳ

    ଏ ଜନମେ ଭୋଗୁ ଅଛି

ତଥାପି ମନେମୋ  ଦୁଃଖ ଟିକେ ନାହିଁ

    ମାଗୁଅଛି ଆଉ କିଛି ।6।

ସଂସାର ଜଞ୍ଜାଳ   ସରି ଆସିଲାଣି

    ଆଉ ବେଶି ବେଳ ନାହିଁ

ବେଳ ଥାଉ ଥାଉ   ଗୁହାରି କରୁଛି

    ଶୁଣ ଆହେ ଭାବଗ୍ରାହୀ ।7।

ହାତଗୋଡ ମୋର   ଚାଲୁ ଥାଉ ଥାଉ

   ନେଇ ଯାଅ ବିଶ୍ଵପତି

ଉତ୍ତମ ମରଣ    ଦେବାକୁ ପ୍ରଭୁହେ

   ଏଇ ମୋ ଶେଷ ବିନତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy