ତାରିଣୀ ଦର୍ଶନେ
ତାରିଣୀ ଦର୍ଶନେ
ବିଚାରଟି ଥିଲା ଗୃହରେ ଆମର
ଯିବୁ ତାରିଣୀ ଦର୍ଶନେ,
ଗୃହଜନ ଯିବେ ମାଆଙ୍କ ଦର୍ଶନେ
ଅତି କୁତୁହଳ ମନେ।
ଦୁଇ ହଜାର ଏକୋଇଶର ଯାତ୍ରା
ଥିଲା ମାସଟି ଫଗୁଣ,
ଏହୁ ଫଗୁଣରେ ଯାତ୍ରା କଥା ଏବେ
ମନେ ପଡୁ ଅଛି ପୁଣି।
ସଙ୍ଗେ ଯାଇ ଥିଲେ ପତ୍ନୀ ଓ ସନ୍ତାନେ
ମାଁ ତାରିଣୀଙ୍କର ଦର୍ଶନେ,
ଦେଖି ଥିଲୁ ତହିଁ ମାଆଙ୍କ ମହିମା
ମନେ ପଡୁ ଅଛି ମନେ।
କେରା ମାଁଙ୍କର ଦର୍ଶନ କରିଲୁ
ମନ୍ଦିର କେରା ଗାଆଁରେ,
ପଶ୍ଚିମ ସିଂହଭୂମେ କେରା ଗାଆଁଟି
ଗୁଞ୍ଜୁ ଥିଲା ମାଁ ଭକ୍ତିରେ।
କେରା ତାରିଣୀଙ୍କ ଗୁଞ୍ଜୁ ଥିଲା ନାଆଁ
ପ୍ରେମ ଭକ୍ତି ଓ ଶ୍ରଦ୍ଧାରେ,
ନୈବେଦ୍ୟ ଦେଇଣ ପୂଜୁ ଥିଲେ ଭକ୍ତ
ତାରିଣୀଙ୍କୁ ସେ ଭକ୍ତିରେ।
ସଙ୍କଟ ତାରିଣୀ କେରା ଠକୁରାଣୀ
ସାକ୍ଷାତ ଶକ୍ତି ସ୍ବରୂପା,
ଗୁଞ୍ଜୁ ଅଛି ନାମ ଝାଡ଼ଖଣ୍ଡ ରାଜ୍ୟେ
କୃପାମୟୀ ଜଗ ସ୍ବରୂପା।
ଗୁଞ୍ଜେ ନାମ ତାଙ୍କ ସମ୍ପୁର୍ଣ୍ଣ ରାଷ୍ଟ୍ରରେ
କେରା ତାରିଣୀଙ୍କ ନାଆଁ,
ଉତ୍କଳର ଭୂମି ଅଟେ କେରା ଗାଆଁ
ଗୁଞ୍ଜେ ଝାଡ଼ଖଣ୍ଡେ ନାଆଁ।
ହଜାର ହଜାର ଭକ୍ତ ଆଗମନ
ତାରିଣୀ ପୂଜନେ ନିତ୍ୟେ,
ଆଶିର୍ବାଦ ଥାଏ ଭକ୍ତଙ୍କ ଉପରେ
ଶକ୍ତି ସ୍ବରୂପାଙ୍କ ନିତ୍ୟେ।
କେରା ଗାଆଁଟିଏ ଧନ୍ୟ ହୋଇଅଛି
ତାରିଣୀ ମନ୍ଦିର ତହିଁ,
ନୈବେଦ୍ୟ ଦେଇଣ ପୂଜିଲୁ ତାରିଣୀ
ପୂର୍ଣ୍ଣ ମନବାଞ୍ଛା ତହିଁ।
କେରା ତାରିଣୀଙ୍କୁ ପୂଜିଣ ଭକ୍ତିରେ
ଯାତ୍ରା ପୁଣି ଘଟଗାଁରେ,
ଘଟଗାଁ ତାରଣୀ ଉତ୍କଳର ଭୂମି
କେଉଁଝର ସେ ଜିଲ୍ଲାରେ।
ମନ୍ତ୍ର ମୁଗ୍ଧ କଲା ତାରିଣୀ ମହିମା
ସାକ୍ଷାତେ ଶକ୍ତିଙ୍କ ସ୍ଥଳୀ,
ଘଟଗାଁ ତାରିଣୀ ଶକ୍ତିସ୍ଥଳୀ ଏହୁ
ପ୍ରେମ ଭକ୍ତି ଶ୍ରଦ୍ଧା ସ୍ଥଳୀ।
ଚହଳଗହଳ ମନ୍ତ୍ରମୁଗ୍ଧ କଲା
ତାରିଣୀଙ୍କ ଭକ୍ତି ରାବ,
ନଡ଼ିଆ ସିନ୍ଦୂର ଚୁଡି ହିଁ ନୈବେଦ୍ୟ
ସମର୍ପଣ ଭକ୍ତି ଭାବ।
ଶହେ ଆଠ ନଡ଼ିଆର ନୈବେଦ୍ୟ
ଚୁଡି ଓ ସିନ୍ଦୂର ସଙ୍ଗେ,
ଅର୍ପଣ କରିଲୁ ତାରିଣୀ ଚରଣେ
ପ୍ରେମଭକ୍ତି ଶ୍ରଦ୍ଧା ସଙ୍ଗେ।
ପଣ୍ଡିତ କରନ୍ତି ମନ୍ତ୍ର ଉଚ୍ଚାରଣ
ଶଙ୍ଖ ହୁଳହୁଳି ରାବ୍,
ମୃଦଙ୍ଗ ବାଜୁଛି ଭକ୍ତି ତାଳେ ତାଳେ
ତାରଣୀଙ୍କ ଭକ୍ତି ରାବ୍।
ସାକ୍ଷାତ ତାରିଣୀ ଶକ୍ତି ସ୍ଥଳୀ ଏହୁ
ନାହିଁ ପଟାନ୍ତର ତାର,
ଦର୍ଶନ କରିଲୁ ତାରିଣୀ ଚରଣେ
ବର୍ଣ୍ଣିବାର ଶକ୍ତି କାର।
ମନବାଞ୍ଛା ପୂର୍ଣ୍ଣ କର ମାଁ ତାରିଣୀ
ଗୃହର ମଙ୍ଗଳ ହେଉ,
ଗୃହର କର୍ତ୍ତବ୍ୟ ପୂର୍ଣ୍ଣ କର ମାତା
ତବ ଆଶିର୍ବାଦ ହେଉ।
ରାତ୍ରିରେ ରହିଲୁ ପବିତ୍ର ଭୂମିରେ
ମନବାଞ୍ଛା ପୂର୍ଣ୍ଣ ହେଲା,
ଦ୍ବିତୀୟ ଦିନରେ କରିଲୁ ଦର୍ଶନ
ଭକ୍ତିରେ ମନ ପୁରିଲା।
ଫେରିଲା ବାଟରେ ଦର୍ଶନ କରିଲୁ
କିଚେକାସ୍ବରୀଙ୍କୁ ଯାଇ,
ଖିଚିଙ୍ଗ ଭୂମିରେ ଗୁଞ୍ଜୁ ଅଛି ବାନା
ପୂଜିଲୁ ଭକ୍ତିରେ ଯାଇ।
ପତ୍ନୀ ଓ ସନ୍ତାନେ ଖୁସି ଓ ଆନନ୍ଦେ
ଘରକୁ ଫେରିଲୁ ଆମ,
ମନେ ପଡ଼ି ଗଲା ସେହୁ ଯାତ୍ରା କଥା
ରଚିଲି ଯାତ୍ରାଟି ଆମ।