ତାପ
ତାପ
ବିଶୁପ ଅନଳ ପ୍ରଦର୍ଶିତ ବଳ
ଜଳ ସ୍ଥଳ ଖଳ ଛଳରେ
ସଂସାର ଜାଲର ଆର୍ତ୍ତ ନାଦ ଜୀବ
ଭରଷା ସରବେ ଜଳରେ।
ଦିନେ ଥିଲା ଜଳ ମାଘ ପଶି ବାଘ
କମଳ ଉଷୁମ ସରସ,
ଯୌବନ ନଦୀ ବନ୍ଦ ଡେଇଁ ରାତ୍ରୀ
କାମିନୀ ଅଞ୍ଚଳ ପରସ।
ଏବେ ସେଇ ଜଳ ପ୍ରାଣୀଙ୍କର ବଳ
ତୃଷାର୍ତ୍ତ ହୃଦୟ ପ୍ରେମିକ
ତାର ମୁଖ ସଦା ନୀଳ କୁମୁଦିନୀ
ଆଦରେ ସାଦର ରସିକ ।
ସାଙ୍ଗ ସାଥି ଫଳ ମୂଳ ଯହିଁ ଜଳ
ତରଭୂଜ, ପଣା ପଖାଳ,
ଦହି,ଲେମ୍ବୁ ପାଣି ହସ ଦିଏ ଢ଼ାଳି
ସଦ୍ୟ ଋତୁବତୀ ସକାଳ।
ଏମନ୍ତେ ଯେମନ୍ତେ ଦ୍ୱିପହର କାନ୍ତା
ପଂଖା କୋଳ ଭୋଳ ପ୍ରୀତିରେ,
ବିଦୂତ୍ ବତୀ ଦେବୀ ଅପ୍ରସନ୍ନ ହେଲେ
ଗତି ରତି ଶ୍ୱେଦ ମତିରେ।
ଯେମନ୍ତେ ଦିପାଳି ଜାଗିବାର ପାଳି
ପ୍ରେମିକା ସାନ୍ଧ୍ୟ ବିହାର,
ଚାରୁ ସୁବାସରେ ଚନ୍ଦନ କର୍ପୂର
ଚୁଆ, ମଲ୍ଲି ମଧୂମାଳତି
ପ୍ରେମ ମନ୍ଦାକିନୀ ମହକ ଚାନ୍ଦିନୀ
ଜଳ କ୍ରୀଡା ଯାତ୍ରା ଭାରତୀ ।
ରାତିକ ଲଙ୍ଗଳା ଶେଜରେ ପାଗଳା
ଏକଡ ସେକଡ ବେଳେ,
ସୁଲୁ ସୁଲୁ ବାହା ନିଦ୍ରା ଦେବୀ ସାହା
ନଚେତ୍ ମୋବାଇଲ ଖେଳେ।
ଠେକି ବସି ଜଳ ଥୋପ ପରି ଗଡି
ପଡ଼ଇ କୁକୁର ନାଳ,
ହାତ ଦେହ ମୁଣ୍ଡ ଝରଣା ଗଡିଲା
ବେଦମ୍ ଖରାରେ ଝାଳ।
ସୁନ୍ଦରୀ ସିନ୍ଦୂର ଠାକୁରାଣୀ ପରି
ଘିମିରି ନମାନେ ଥାନ
ଅଂଶୁଘାତ ବଡ ଡକାୟତ ଭୟ
ପଶିଲେ ଜୀବନ ଦାନ।
ଆମ୍ବ ଭାରି ମିଠା ଦେଶୀ କି କଲମୀ
ପାଟିରେ ଚୁଚୁମି ରସ,
ଯେତେ ଗ୍ରୀଷ୍ମ କ୍ଳାନ୍ତ ହେଉ ପଥଚାରୀ
ଦେହ ମନ ଖେଳେ ହସ।
