ତାଜମହଲ
ତାଜମହଲ
ବ୍ୟଥିତ ଆତ୍ମାର
ବିରହ ମହ୍ଲାର
ଅଭୁଲା ପ୍ରେମର ସ୍ମୃତି,
ଜୀବନ୍ତ ସୌଧ ତୁ
ଅମର ପ୍ରୀତିର
ପ୍ରଣୟ ଅଲିଭା ଗୀତି l
ପ୍ରାଣପ୍ରିୟା ବିନା
ବ୍ୟାକୁଳ ହୃଦୟ
କମ୍ପିତ ହୃଦୟ ଭାଷା,
ଲିପିବଦ୍ଧ ସବୁ
ତୋ ଶୁଭ୍ର ବକ୍ଷରେ
ଲୁହ ଭିଜା ପରିଭାଷା l
ଫିକା ଫିକା ଜହ୍ନ
ଛାଇ ଆଲୁଅରେ
ଫୁଟିଉଠେ କାହା ଛବି,
ବିରହ ବିଧୁର
ଶାହାଜାହାଁ ମନ
ପୁଲକିତ ହୁଏ ଭାବି l
ଦଗ୍ଧୀଭୂତ ପ୍ରାଣ
ବିଚ୍ଛେଦରେ ଜୀଏଁ
ଚାହିଁ ଚାହିଁ ତୋର ରୂପ,
ଦୃଶ୍ୟ ହେବ କାଳେ
ପ୍ରିୟା ମମତାଜ
କଟିବ ମନୁ ସନ୍ତାପ l
ନୟନ ଜ୍ୟୋତି ସେ
ପ୍ରଣୟ ସମ୍ପତ୍ତି
ବ୍ୟାକୁଳ ଅନ୍ତର ନେଇ,
ଅପଲକ ନେତ୍ରେ
ବ୍ୟଥିତ ହୃଦୟେ
ଅପେକ୍ଷାରେ ରହିଥାଇ l
ନିସ୍ତବ୍ଧ ପ୍ରହରେ
ଘୁଙ୍ଗୁର ଶବ୍ଦରେ
ଗୁଞ୍ଜରି ଉଠେ ତୋ ତନୁ,
ବିରହ ରାଗିଣୀ
ଝରିଆସେ କେତେ
ପୁଲକିତ ହୁଏ ତନୁ l
ସାକ୍ଷୀ ସବୁ ତୁ ତ
ଦୁଇ ହୃଦୟର
ଅକୁହା ମନର ବ୍ୟଥା,
ବିଶ୍ୱେ ପ୍ରସିଦ୍ଧ ତୁ
ପ୍ରେମର ପ୍ରତୀକ
ଅଭୁଲା ପ୍ରେମର ଗାଥା l