କିଛି ଅକୁହା
କିଛି ଅକୁହା
ଶେଫାଳି ଲୋ
ତୁ ଆସିବାର ସମ୍ଭାବ୍ୟ ବାସ୍ନାରେ
ଶାରଦୀୟ ଝଡ଼ ବର୍ଷା ରାତିରେ ବି,
ତାରାମାନେ ଆକାଶରେ
ଚିକ୍ ଚିକ୍ କରୁଥିଲେ
ଯନ୍ତ୍ରଣାର ଦୁଃଖ ଦରିଆରେ ବି,
ଆଶାର କଇଁଫୁଲମାନେ
ମନସରୋବରରେ
ପାଖୁଡାମେଲାଇ ହସୁଥିଲେ
ଆଖି ବୁଜିଦେଲେ
ଆଖି ଆଗରେ ଆସୁଥିଲୁ ତୁ,
ଆଖିଖୋଲିଦେଲେ
ପରଦା ସେପଟେ ଦିଶିଯାଉଥିଲୁ ତୁ
ଦାଣ୍ଡରୁ ଯେମିତି ଶୁଭିଯାଉଥିଲା,
ତୁ ଆସିବାର ଋଣଝୁଣ ପାଉଁଜି ଶବ୍ଦ
ଆଉ ଠିକ ସେତିକି ବେଳେ,
ମନ ଅଭ୍ୟନ୍ତରରୁ ଝରିଆସୁଥିଲେ
ଅଭିମାନସବୁ ଟୋପାଟୋପା ଲୁହ ହୋଇ
ହେଲେ ତୁ ଆସିଥିଲୁ
ହଁ ତୁ ଆସିଥିଲୁ ଅବଶ୍ୟ,
ହେଲେ ଅଧାବାଟରୁ ଫେରିଯାଇଥିଲୁ
ଫେରିଯାଇଥିଲୁ
ଆଘାତ ନେଇ ମନରେ, ପ୍ରାଣରେ
ହେଲେ, ଟିକିଏ ଧୈର୍ଯ୍ୟ ସମ୍ଭାଳି
ଆସିପାରିଲୁ ନାହିଁ ମୋ ଯାଏ
ସବୁ ରାଗ ରୁଷା ଅଜାଡି ଦେଇଥାନ୍ତୁ ମୋ ଉପରେ,
ତୋ ପାଇଁ ଲଢେଇ କରିବାରେ
ମୁଁ କଣ କେବେ କାର୍ପଣ୍ୟ କରିଥାନ୍ତି ?
ହେଲେ ତୁ ସେପରି କାହିଁକି କଲୁନି ?
ତୁ ଯିବା ପୂର୍ବରୁ ଥରୁଟିଏ
ଥଣ୍ଡା ମୁଣ୍ଡରେ ଚିନ୍ତା କଲୁନି
ଏହାର ପରିଣାମ କେତେ ସୁଦୂର ପ୍ରସାରି
ଭୟଙ୍କର ହେବ ବୋଲି ?
ନାଁ ନାଁ
ବୋଧ ହୁଏ ଆମ ସମସ୍ତଙ୍କ ଅଲକ୍ଷ୍ୟରେ
ଉପରଵାଲା ଟିପ ଚଳାଉଥିଲା,
କାହିଁକିନାଁ ସବୁ ଜିନିଷର ଅତିଟିକୁ
ସେ ସାହିପାରେନି ତ
ତେଣୁ ସେଥିପାଇଁ ବୋଧହୁଏ ସେ,
ସୁଯୋଗର ଅପେକ୍ଷାରେ ଥିଲା ।