ମହାଅଭିଯୋଗ ମହାମାନ୍ୟଙ୍କୁ
ମହାଅଭିଯୋଗ ମହାମାନ୍ୟଙ୍କୁ
ମହାମାନ୍ୟ ତୁହି ହୀନିମାନୀ ମୁହିଁ
ଏତେ ଅଣଦେଖା ତୋର କାହିଁକି ???
ଏଡ଼େ ମହାମହିମ କାହିଁ ମହିମା
ନିଷ୍ଠୁର ହେଉ ମୋ ପାଇଁ ତୁହି କି' ???
କିଏ କ'ଣ ଦେଲା ତୋର ରୁଚି ଜାଣି
ମୁଁ କିବା ତୋତେ ଦେଇ ନପାରିଲି???
କିଏ କଲା ତୋତେ କେତେ ଆପଣାର
ଆପଣାପଣିଆ ଉଣା ମୁଁ କଲି???
କାହାର ହେଉଛୁ ନୟନ କଜ୍ଜଳ
କାହାକୁ କରିଚାଲିଛୁ ଉଜ୍ଜ୍ୱଳ ???
କିଏ ଡାକିଡାକି ତଣ୍ଟି ଯାଏ ଶୁଖି
ନ ଶୁଣୁ ତୁ ସିନା କାହିଁ ବିକଳ ???
କରମ ବିପାକେ କିଏ ସେ ଡାକଇ
କର୍ଣ୍ଣପାତ ତୋର ହୁଅଇ ନାହିଁ
କାହିଁକି ତୁମ୍ଭର ଏଡ଼ିକି ବଡେଇ
କହିବକି ବାରେ କଳା ଗୋସେଇଁ ???
ଗଣ୍ଠିଲିରେ ତୁହି ଗଣ୍ଠିଧନ ମୋର
ତୋ' ଠାରୁ କିଏ ଅଧିକା ଜାଣଇ
ତଥାପି ଡଅଁର ଦେଖି ଡୁବାଉଛୁ
କିପରି କହରେ କଳା କହ୍ନେଇଁ ???
ଜମାରୁ ତୁ ନନ୍ଦ ଗଉଡ଼ର ପୁଅ
ନୀଳାଚଳନାଥ ବୋଲାଉଅଛୁ
ତନ ମନ ଧନ ଯେତେ ଢ଼ାଳିଲେ ବି
ନିଦାରୁଣେ ମଉନରେ ବସିଛୁ
ଘୋର ବିପତ୍ତିର ଘନ କୁହୁଡିରେ
ଯେବେ ନ ଶୁଣି ତୁ ପଥର ହେବୁ
ମଣିମା ମଣିମା ହୁରି ପଡ଼ିଅଛି
ଶଠ ଶିରୋମଣୀ ଶାଢ଼ୀ ପିନ୍ଧିବୁ
ଜଗତେ ଜାଣନ୍ତି ବନ୍ଧୁପଣେ ବନ୍ଧୁ
ଜଣେ ବନ୍ଧୁ ଏକା ଜଗତ ସାଇଁ
ତୁ କିନ୍ତୁ ଅବନ୍ଧୁ ବନ୍ଧୁ ଯେ ବଢ଼ାଇ
ଅଦିନରେ ହାତ ଦେଉ ଛଡାଇ
ମୋ ଭାଗ୍ୟ ଲିଖନ ମୁଁ ଯଦି ଭୋଗିବି
କାହିଁକି ଉଡୁଛି ବାନା ତୋହର
ଏଡ଼େ ଏଡ଼େ ନାମେ କାହିଁ ବିମଣ୍ଡିତ
କୃପାସାଗର ଦୟାଅବତାର????
ବୁକେଇଲାଣି ଦୁଃଖଜଳଧି ମୋର
ଆଉ ବସି ନ ଦେଖ ଜଗନ୍ନାଥ
ଯସ୍ୟ ନାଥ ଜଗନ୍ନାଥ ତସ୍ୟ ଦୁଃଖ
କାହିଁକି କହ୍ନେଇଁ କୁହ ତ ଶତ????
ରୋଷ କଲି ଦୋଷେ ହେ କ୍ଷମାନିବାସେ
ହୃଦରୁ କରିବ କରୁଣା କ୍ଷମା
ତୁମ ବିନୁ ଆନ ନ ଜାଣଇ ମନ
ନିଜଠୁ ନିଜର ତୁମେ ମଣିମା
ଅଧିକାର ଥିଲେ ଅଭିମାନ ଥାଏ
ସବୁ ଅଭିମାନ ଦେଲି ମୁଁ ଢାଳି
ଆଡ଼ ନୟନରେ ଚାହିଁଦେଇ ଥରେ
କୋଳେ ନିଅ ତୋଳି ହେ ବନମାଳୀ