ହେ ମୁରାରୀ
ହେ ମୁରାରୀ
ହେ ମୁରାରୀ, ମୁକୁନ୍ଦ, ମଧୁସୂଦନ
କାଣିଚାଏ କୃପାକର
ଜଗସ୍ୱାମୀ, ଜଗନ୍ନାଥ, ଲୋକନାଥ
ରଖ ହେ ଶରଣ ମୋର
କେଉଁଠି ରହିଛ କିମ୍ପା ନ ଶୁଣୁଛ
ରକ୍ଷାକର ଚକ୍ରଧର
ତ୍ରିଭୁବନନାଥ, ଆହେ ଲକ୍ଷ୍ମୀକାନ୍ତ
ତ୍ରାହିକର ତ୍ରାହିକର ।
ହୃଦ ସିଂହାସନେ ମଙ୍ଗଳ ବିଧାନେ
ବିରାଜିଛ ଆହେ ହରି
ସ୍ଥାବର ଜଙ୍ଗମ ଗାଏ ତଵ ଗୀତି
ଆହେପ୍ରଭୁ ଦୁଃଖ ହାରୀ
ଆକୁଳ ପରାଣେ ବ୍ୟାକୁଳେ ଡାକଇ
କାହିଁକି ହୁଅ ବଧିର
ହେ ମୁରାରୀ ମୁକୁନ୍ଦ ମଧୁସୂଦନ
କାଣିଚାଏ କୃପାକର ।
ଜୟ ଆହେ ନାଥ ଅନାଥର ତାତ
ଦୁଃଖୀ ଦରିଦ୍ର ସମ୍ପତ୍ତି
ବିପତ୍ତି ବେଳାରେ ହୃଦରେ ଚିନ୍ତିଲେ
ଶୁଣି କାଳେ କର୍ଣ୍ଣପାତି
ଶରଣ ପଞ୍ଜର,ଭକତ ସୋଦର
ଆରତୀ ଗ୍ରହଣ କର
ହେ ମୁରାରୀ, ମୁକୁନ୍ଦ,ମଧୁସୂଦନ
କାଣିଚାଏ କୃପାକର ।
ବୁଡ଼ିଲା ନାଵ ସିନା କୂଳେ ଲାଗଇ
ତୁମେ ପ୍ରଭୁ ଦୟାକଲେ
ମଲା ଶବ ଉଠେ ହସ ଉକୁଟଇ
ଆଡ଼ ଆଖି ଚାହିଁଦେଲେ
ଅଳପ ଅନାଇ ଆହା ଦିଅ କହି
ଆହେ ପ୍ରାଣବନ୍ଧୁ ମୋର
ହେ ମୁରାରୀ,ମୁକୁନ୍ଦ,ମଧୁସୂଦନ
କାଣିଚାଏ କୃପାକର ।
ଶ୍ରୀଚରଣେ ଅନନ୍ତକୋଟି ପ୍ରଣାମ
ବାଢୁଛି ହୃଦରୁ ମୋର
କ୍ଷମାକରି ପ୍ରଭୁ ପ୍ରେମେ ତୋଳିନିଅ
ନୟନୁ ଝରେ ରୁଧିର
ଦାସଠାରେ ରୋଷ କାହିଁକି କରୁଛ
କରିନିଅ ଆପଣାର
ହେ ମୁରାରୀ,ମୁକୁନ୍ଦ, ମଧୁସୂଦନ
କାଣିଚାଏ କୃପାକର ।