ବିଶ୍ବର ପ୍ରଥମ ବିବାହ
ବିଶ୍ବର ପ୍ରଥମ ବିବାହ
ନିଜେ ବେଦବର ନିଜ କଳେବର
ପ୍ରଜା ଉତ୍ପାଦନ ପାଇଁ ।
ଦି ଭାଗ କରିଲେ ମନୁ ଶତରୂପା
ପୁରୁଷ ନାରୀ ଏ ହୋଇ ।
ଆଦେଶିଲେ ତାଙ୍କୁ ପ୍ରଜା ସୃଷ୍ଟି କରି
ସଂସାରର ହିତ କର ।
ଦୁଇ ପୁତ୍ର ପ୍ରିୟବ୍ରତ ଓ ଉତ୍ତାନପାଦ
ହୋଇଲେ ତାଙ୍କର ।
ଆକୂତି ଦେବହୂତି ପ୍ରସୂତି ନାମେ
ତିନୋଟି କନ୍ୟା ହୋଇଲେ ।
କର୍ଦ୍ଦମ ପ୍ରଜାପତି ପୂର୍ବୁଁ ଜନମି
ତପସ୍ୟାରେ ରତ ଥିଲେ ।
ଆଦେଶ ଦେଲେ ଭଗବାନ ମନୁଙ୍କୁ
ଦେବହୂତି କନ୍ଯା ନିଅ ।
କର୍ଦ୍ଦମ ଋଷିଙ୍କ ସହିତ କନ୍ୟାର
ବିବାହ ତୁମେ କରାଅ ।
ତେଣେ କର୍ଦ୍ଦମଙ୍କ ତପସ୍ୟାରେ
ସନ୍ତୁଷ୍ଟ ହୋଇଲେ ଭଗବାନ ।
କହିଲେ କର୍ଦ୍ଦମ ତୁମ ଉପରେ ମୁଁ
ହୋଇଅଛି ସୁପ୍ରସନ୍ନ।
ତୁମର ସୃଷ୍ଟିର ଇଚ୍ଛା ହେବ ପୂର୍ଣ୍ଣ
ବିଭା ହୁଅ ଦେବହୂତି ।
ତୁମ ପାଶେ ଆସି ମିଳିବେ କନ୍ଯା
ସହିତ ମନୁ ନରପତି ।
ମନୁ ଶତରୂପା ଦେବହୂତି କନ୍ଯା
ଘେନି କର୍ଦ୍ଦମଙ୍କ ପାଶେ।
ଦିବ୍ଯ ବିମାନରେ ପହଞ୍ଚିଲେ ଆସି
ଋଷି ଆଶ୍ରମେ ବିଶେଷେ।
ଦେବହୂତି କନ୍ୟା ସେ ମନୁ ରାଜନ
ସମର୍ପିଲେ କର୍ଦ୍ଦମଙ୍କୁ ।
କହିଲେ ବୈଦିକ ରୀତି ନୀତି ସହ
ବିବାହ କର ଏହାକୁ ।
ବିଶ୍ବର ପ୍ରଥମ ବିବାହ କର୍ଦ୍ଦମ
ଦେବହୂତିଙ୍କ ହୋଇଲା।
କପିଳ ଭଗବାନଙ୍କର ଜନମ
ଦେବହୂତି ଗର୍ଭୁଁ ହେଲା ।
