STORYMIRROR

Pranati prabha Rout

Others

4  

Pranati prabha Rout

Others

ମୋ କଳାମାଣିକ ପାଇଁ ହୃଦୟ କଥା

ମୋ କଳାମାଣିକ ପାଇଁ ହୃଦୟ କଥା

1 min
459

ଯଶୋଦା ମୁଁ ନୁହେଁ ତୋର ଦେବକୀ ବି ନୁହଁ

କାହିଁକି ଲଗାଇଛୁରେ ମୋ'ଠି ଏତେ ମୋହ

ଜନମ ଦେଇନି ତୋତେ ପାଳିନି ସେନେହେ

ତୋ' ଲାଗି କାହିଁକି ଭିଜେ ଏତେ ଲହୁ ଲୁହେ 


କାହ୍ନୁରେ ମୋ କାହ୍ନୁ ! ହୃଦ ଦୁର୍ଲ୍ଲଭ ସମ୍ପତ୍ତି

ହାତ ନ ଛାଡ଼ିବୁ ଆସୁ ବାଆ କି ବିପତ୍ତି

ମମତା ମୋ ବନ୍ଧା ତୋର ଛନ୍ଦାଚରଣରେ

ସ୍ନେହ ଶିକୁଳିରେ ଝୁଲେ ନିବିଡ଼ ଡୋରିରେ  


ଜନମ ଦିଅନ୍ତି ତୋତେ ସାଜିରେ ଦେବକୀ

ବନ୍ଦୀ ଶାଳେ ବନ୍ଦିନୀ ମୁଁ ତୋ' ପାଇଁ ହୁଅନ୍ତି

ଯଶୋଦା ହୋଇ ମୁଁ ତୋତେ ଯତନେ ପାଳନ୍ତି

ସର ଲବଣି କୋଳେ ଧରି ତୋତେ ଭୁଞ୍ଜାନ୍ତି 


ମାଟିଖିଆ ପାଟି ଦେଖି ଛାଟରେ ପିଟନ୍ତି

ମିଛ ରାଗବହି ତୋତେ ଗାଳି ମୁଁ କରନ୍ତି

ରୁଷିଗଲେ କାନି ପୋଛି ଗେହ୍ଲା ବି କରନ୍ତି

ବାତ୍ସଲ୍ୟରେ ମାତୃତ୍ୱକୁ ବତୁରି ଦିଅନ୍ତି 


ଅଳି କଲେ କୋଳେ ତୋଳି ଜହ୍ନ ମୁଁ ଦେଖାନ୍ତି

ଡରିଗଲେ ଚିରାପଣତେ ଢାଙ୍କିରଖନ୍ତି

କଜ୍ଜଳ ଲଗାଇ ଗାଲେ ନଜର ହଟାନ୍ତି 

ମିଠା ମାତୃତ୍ୱକୁ ମୋର ସାର୍ଥକ କରାନ୍ତି  


କରିବୁନି ଧନ ତୋର ଭାବରୁ ଅନ୍ତର

ଅନ୍ତର ତ ସହିବନି ହୃଦୟ କନ୍ଦର

ବଢ଼ିଯିବ ବହଳିଆ ଯନ୍ତ୍ରଣା କୋହର

ମାଆଠୁ ଅଧିକ ସିନା ଡାହାଣୀ ମୁଁ ତୋର  


ଲୋଡ଼ା ନାହିଁ ହୀରାଲୀଳା ମୋତି କି ମାଣିକ

ତୁହି ମୋର ଜୀବନର ଅସୀମିତ ସୁଖ

ତୁ ଦର୍ଶନେ ଭୁଲିଯାଏ ଯନ୍ତ୍ରଣା ଗରଳ 

ପାହାଡିଆ ଦୁଃଖ ହୁଏ ଜଳରୁ ତରଳ 


ବିଦ୍ୟୁତ ପରି ଆସିଲୁ ଜୀବନକୁ ମୋର 

ଆଲୋକିତ କଲୁ ଯେତେ ଅମା ଅନ୍ଧକାର 

ଅନ୍ତ କାଳେ ଧନ ଟିକେ ଦେଇଦେବୁ କାନ୍ଧ

ଅମୃତତ୍ୱରେ ଭରିବ ମାତୃତ୍ୱ ଆହ୍ଲାଦ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍