ମୁଁ ମଣିଷ କହୁଛି
ମୁଁ ମଣିଷ କହୁଛି
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ମଣିଷଟିଏ ମୁଁ ମଣିଷ ଭାଇ
ରେ ମଣିଷ ଭାଇ
ମନୁଷତ୍ୱ ମୋ'ଠୁ କେଉଁଠି ହଜିଲା
ଖୋଜିଖୋଜି ମୁଁ ଯେ କାହିଁ ନପାଇ
ରେ ମଣିଷ ଭାଇ ।
କାହିଁଗଲା ମୋ ସେ ବିବେକ ଜ୍ଞାନ
ସଚ୍ଚା ସହୃଦୟ ମନଚୈତନ୍ୟ
କଚ୍ଛପ ପରି ଅହମ ଖୋଳପା
ପିନ୍ଧି ମୁଁ ଦେଉଛି ମହତ ଶିକ୍ଷା ।
ସ୍ନେହ ପ୍ରେମ ଗୁଣ ବିକୃତକରି
ଛଳନା ଦୋଳିରେ ଖେଳୁଛି ଦୋଳି
ଗୁରୁରେ ସମ୍ମାନ ଲଘୁରେ ସ୍ନେହ
କଦାକାର ଆଜି ବିବର୍ଣ୍ଣ ପ୍ରାୟ ।
ମମତା ବନ୍ଧନ ହେଲା ବିରଳ
ଅମୃତ ଲାଗଇ ମୋତେ ଗରଳ
ଦୟା, କ୍ଷମା ଯେତେ ଦରଦୀ ଗୁଣ
ଫିଙ୍ଗି ମୁଁ ଦେଇଛି ହୃଦରୁ ପୁଣ ।
ପରୋପକାରାୟ ସ୍ବର୍ଗୀୟ ଗୁଣ
ପରଶ୍ରୀକାତରେ ତନୁ ମୋ କ୍ଷୀଣ
ଦିଶୁଛି ଯାହା ମୁଁ ଭାସୁଛି ଯାହା
ସତ କହୁଛି ମୁଁ ନୁହଇଁ ତାହା ।
କର୍ମଧର୍ମ ସ୍ୱଳ୍ପ କଥା ମୋ ବେଶୀ
ନିଜ ପ୍ରଚାରରେ ଆତ୍ମା ମୋ ତୃପ୍ତି
ମହତପଣିଆ ମୋ ପକ୍ଷାଘାତ
ଦେବତା ଲୁଚନ୍ତି ଧରି ଇଜ୍ଜତ ।
ଅଣନିଶ୍ୱାସୀ ମୁଁ ଅର୍ଥପଛରେ
ସ୍ୱାର୍ଥସର୍ବସ୍ବ ମୁଁ ଲୋଭ ଗୁଚ୍ଛରେ
ସତ୍ୟ ସିଂହାସନେ ମିଥ୍ୟା ହସୁଛି
ପାପ ଗଜମ
ୋତି ପାନ ଖାଉଛି ।
ଛଳନା ବାହାନା କୁହୁକମୁଣୀ
ପ୍ରୟୋଗକରେ ବେଳକାଳ ଜାଣି
ମୋ ଦୋଷ ନୁହେଁ ଏ କଳି ପ୍ରଭାବ
ହରିଛି ମୋ'ଠାରୁ ଦେବତ୍ବ ଭାବ ।
ମୁଁ' ରେ ସୀମିତ ମୋ ଦିନରାତି
ଆତ୍ମକୈନ୍ଦ୍ରିକ ଗୁଣେ ଥାଏ ମତି
ମୁଁ' ରାଜଉଆସେ ମୁହିଁ ଯେ ରାଜା
ବୁଦ୍ଧିଠୁ ବିବେକ ମୋର ପରଜା ।
ନିଜକୁ ସମୀକ୍ଷା ନକରେ କେବେ
ପରର ନିନ୍ଦାରେ ଜିହ୍ୱା ମୋ ନବେ
ଚେତନା ହଜିଛି ଚୈତନ୍ୟ ରାଜ୍ୟେ
ସେ ପାଇଁ ପ୍ରକୃତି କୁପିତା ଆଜେ ।
ଅଦିନ କୁହୁଡି ଦୁର୍ଦ୍ଦିନ ଝଡ଼
ସୁନାମି,ଭୂମିକମ୍ପ କରେ ମାଡ଼
ଖେଳିଚାଲେ ଅଚିହ୍ନା ମହାମାରୀ
ପାଦେପାଦେ ଚାଲେ ବିପଦ ଘାରି ।
ତଥାପି ଅମୃତ ସନ୍ତାନ ମୁହିଁ
ସ୍ରଷ୍ଟାଙ୍କର ପରା ଜାଣି ଅଛଇ
ତେଣୁକରି ଚେଷ୍ଟା କରୁଛି ମୁହିଁ
ସୁଧୁରିଯିବି ବେଳକାଳ ଥାଇ
ରେ ମଣିଷ ଭାଇ ।
ମଣିଷଟିଏ ମୁଁ ମଣିଷ ଭାଇ
ରେ ମଣିଷ ଭାଇ
ମନୁଷତ୍ୱ ମୋ'ଠୁ କେଉଁଠି ହଜିଲା
ଖୋଜିଖୋଜି ମୁଁ ଯେ କାହିଁ ନପାଇ
ରେ ମଣିଷ ଭାଇ ।