STORYMIRROR

Pranati prabha Rout

Inspirational

4  

Pranati prabha Rout

Inspirational

ତୁଳସୀ ବିବାହ

ତୁଳସୀ ବିବାହ

1 min
643


ଜୟ ଜୟ ଜୟ ମାଲୋ ତୁଳସୀ ମାତା

ତୋ ଶ୍ରୀପଦେ ଥାପୁଅଛି ମୋହରି ମଥା

ଆଜି ଶୁଭ ଲଗ୍ନେ ତୋ ବିବାହ ଉତ୍ସବ

ଅଖିଳ ବ୍ରହ୍ମାଣ୍ଡପତି ତୋହରି ଧବ ।।


ସତ୍ୟ ଯୁଗେ ତୋର ପାତିବ୍ରତ୍ୟ, ସତୀତ୍ୱ

ବଳେ ସ୍ୱାମୀ ଜଳନ୍ଧର ଦୁଷ୍ଟେ ଅତିଷ୍ଟ

ଖଟାଇଲା ପାଦେ ସକଳ ଦେବାଦେବୀ

ଛଡାଇଲା ଶିବଙ୍କ'ଠୁ ପାର୍ବତୀଦେବୀ।।


 ଘମାଘୋଟ ଯୁଦ୍ଧ ଶଙ୍କର ଜଳନ୍ଦରେ

ମଲାନି ତଥାପି ଦୈତ୍ୟ ତୋ ସତୀ ଫଳେ 

ପଶିଲେ ଶରଣ ବିଷ୍ଣୁ ପାଦେ ପାର୍ବତୀ

ବିନା ସତୀତ୍ବ ହରଣେ ବିଜୟ ନାସ୍ତି ।।


ସଂସାର ହିତେ ବିଷ୍ଣୁ ତୋ' ନେଲେ ସତୀତ୍ୱ

କୋପେ ଦେଲୁ ଶାପ ସେ ହେଲେ ଶିଳାଗ୍ରସ୍ତ 

ସେ ଦିନୁ ତୋ'ଠାରେ ତାଙ୍କ ଶ୍ରଦ୍ଧା ଅଥୟ 

ହୋଇଛୁ ସେଦିନୁ ତା'ଙ୍କ ପ୍ରିୟାତିପ୍ରିୟ ।।


ନୀଳାଚଳେ ଏବେ ନୀଳାଦ୍ରୀନାଥ ସେହି 

ବିନା ତୁଳସୀରେ ନ କରନ୍ତି ମଣୋହି

ଯେତେ ବି ଆଭୂଷଣ ଅଙ୍ଗ ସାଜସଜ୍ଜା

ମୂଲ୍ୟହୀନ ହୁଏ ସର୍ବାଗ୍ରେ ତୋର ଖୋଜା।।


ତୁଳସୀର ମାଳ, ତୁଳସୀର ମଞ୍ଜରୀ

ତୁଲାସୀ ପତ୍ରରେ ସଦା ଲୋଭ ତାଙ୍କରି

ସବୁଠୁ ପରମ ପବିତ୍ରା ତୁ ଲୋ' ମାତ 

କେବେ ହୁଏ ନାହିଁ ବାସୀ ତୋହରି ପତ୍ର ।।


କାର୍ତ୍ତିକେ ଦେବ ଉତ୍ଥାପନ ଏକାଦଶୀ

ଯେ କରେ ଶ୍ରଦ୍ଧା ବିବାହ କୃଷ୍ଣତୁଳସୀ

ଅଭୟ ଆଶିଷ ତାକୁ ଦେଉ ତୁ ମାତ 

ଚତୁଃବର୍ଗ ପୂଣ୍ୟ ଫଳ ତା'ର ପ୍ରାପତ ।।


ପୂଜନ, ସେବନ ଆଉ ତୋର ସ୍ପର୍ଶନ

ପ୍ରଦକ୍ଷିଣ କଲେ ତୋତେ କୋଟିଏ ପୂଣ୍ୟ

କାର୍ତ୍ତିକେ ପ୍ରାତସ୍ନାନକରି ଦୀପଦାନ

କଲେ ସେ ପ୍ରଭୁଙ୍କ ପ୍ରିୟ ବୈକୁଣ୍ଠେ ସ୍ଥାନ ।।


ମୂଳେ ଗଙ୍ଗା, ଡାଳେ ବିଷ୍ଣୁ,ତୋ ପତ୍ରେ ଦେବ

ମୂଳେ ପ୍ରଣାମରେ କଟେ ପାପ ପ୍ରଭାବ 

ମୁଣ୍ଡିଆଟିଏ ମାରି ଗଲେ ସର୍ବ ଶୁଭ

ଖଣ୍ଡିଥାଉ ମାଲୋ ଯେତେ ଆସୁ ପ୍ରାଭବ ।।


ତୁଳସୀ ବୃକ୍ଷ ଯା' ଦ୍ୱାରେ ତା'ଘରେ ବିଷ୍ଣୁ

ସଦା କରିଥାନ୍ତି ବାସ ପବିତ୍ର ତନୁ 

ତୁଳସୀକାଷ୍ଠ କଣ୍ଠେ ଥିଲେ ସେ କବଚ

ଦେଖି ଭୟେ ହଟିଯାଏ ଭୁତ ପିଶାଚ ।।


ମୃତ କାଳେ ଯେ ତୁଳସୀ ପାଶେ ଶୟନ 

ପବିତ୍ର ତୁଳସୀ ଜଳ କରିବ ପାନ

ଅନ୍ତ କାଳେ ହେବ ସିଏ ବୈକୁଣ୍ଠବାସୀ

ଦହନ ହେବ ଯେତେ ତାର ପାପରାଶି ।।


ବିନୟେ ଗୁହାରୀ କରେ ଶେଷେ ଲୋ' ମାତ

ମଝି ନଇରେ ମୋ ନାଆ ବୁଡ଼େ ଉଠେ ତ

ହୋଇଲେ ତୋ ଦୟାକୃପା ଲୋ ଦୟାମୟୀ

ଅସରା ମୋ ଦୁଃଖ ସିନା ଯିବ ପଳେଇ ।।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational