ଦେହୀ ପଦ ପଲ୍ଲବ ମୁଦାରମ୍
ଦେହୀ ପଦ ପଲ୍ଲବ ମୁଦାରମ୍
ଶ୍ରୀରାଧା ଶ୍ରୀରାଧା ରାଧା ଜଗତ ଜପେ
ଦେଲୋ ମାଆ "ପାଦଦର୍ଶନ" ଦୁଃଖେ ବିଳପେ
ମାଆଗୋ ଭୁବନମୋହନ ମନମୋହିନୀ
କୃଷ୍ଣ ପ୍ରାଣେଶ୍ୱରୀ ଜଗତ ଠାକୁରାଣୀ
ଗୁପ୍ତବୃନ୍ଦାବନ ସାକ୍ଷୀଗୋପାଳ ଠାରେ
ପୂଜା ପାଉଛୁ ଲୋ କୃଷ୍ଣ ବାମପାର୍ଶ୍ୱରେ
ବ୍ରଜରୁ କୃଷ୍ଣ ତ ସାକ୍ଷୀ ଦେବା ଆଳରେ
ପହଞ୍ଚିଥିଲେ ବ୍ରଜରୁ ସାକ୍ଷୀଗୋପାଳେ
ରାଧାବିନେ କୃଷ୍ଣ ଅଧା ତୁ ତାଙ୍କ ବିନେ
ଅଧା ଅଧୁରା ଲୋ ମାତା ଅସ୍ତିତ୍ୱ ହୀନେ
ଏକା ଛାଡି ଆସିଥିଲେ ଯେଣୁ ତୁମ୍ଭଙ୍କୁ
ସହି ନପାରି ବିରହେ ଆସି ସେଠାକୁ
ସେବକର କନ୍ୟା ରୂପେ ସେଠାରେ ଜନ୍ମି
କୃଷ୍ଣ ବିନେ ଅନ୍ୟ ପତି ମନେ ଆସେନି
କେବେ ଶେଜୁ ମୟୂରପୁଚ୍ଛ ବଂଶୀ ମିଳେ
କୃ6ଷ୍ଣ ଲୀନ ହେଲ ଦିଅଁ ପ୍ରତିଷ୍ଠା ବେଳେ
ସେବେ ଠାରୁ କୃଷ୍ଣ ବାମ ପା6ର୍ଶ୍ଵ ଶୋଭିତ
ଖାଣ୍ଟି ଓଡ଼ିଆଣୀ ବେଶେ ହୋଇ ସଜ୍ଜିତ
କାର୍ତ୍ତିକ ଶୁକ୍ଳ ନବମୀ ପଦ ଦର୍ଶନ
ଦେଇ ଭକତ ଜନଙ୍କୁ କରାଅ ଧନ୍ୟ
ପୁରାଣ କହେ ଏକଦା ଗୋପରେ କୃଷ୍ଣ
ତୋ ଦର୍ଶନ ବିଚ୍ଛେଦେ ହେଉଥିଲେ ଖିନ
ଜାଣି ସଖା ସୁବଳ ଉପାୟ ପାଞ୍ଚଇ
ପହଁଚିଲେ ଶାଶୂଘରେ ତୁମରି ପାଇଁ
ବାଟେ ଶାଶୁ କୁଟିଳା ନଣନ୍ଦ ଜଟିଳା
କିପରି ବାରତା ଦେବେ ତୁମ୍ଭଙ୍କୁ ଭଲା
ବତ୍ସା ଏକ ନେଇ କାନକୁ ଦେଲେ ମୋଡ଼ି
ପଶିଗଲା ତୁମ ପୁରେ ଛାଡି ସେ ରଡି
ନିଜ ବେଶ ଗୋପ୍ୟ କରି କୃଷ୍ଣ ପ୍ରୀତିରେ
ଆସିଲ ସୁବଳ ସହ ବତ୍ସା ଭିତରେ
ଯୁଗଳ ମୁରତୀ ହେଲ ଶ୍ରୀକୃଷ୍ଣ ରାଧା
ଦର୍ଶନ ଦେଲ ସର୍ବେ ଦିବ୍ୟ ପାଦ ସୁଧା
ଯେଉଁ ପାଦ ଛୁଇଁବାକୁ କୃଷ୍ଣ ବ୍ୟାକୁଳ
କୁଞ୍ଜବନେ କେବେ ଚାଟୁ କେବେ ଗୋକୁଳ
ଦୁର୍ଲ୍ଲଭ ପାଦ ବର୍ଷକେ ଦିନେ ସୁଲଭ
ସେ ପାଦଦର୍ଶନେ ଜନେ ତରନ୍ତି ଭବ
ପ୍ରଶାସନ ଦର୍ଶନ ତ ବନ୍ଦ କରିଛି
ଦର୍ଶନ ବିଚ୍ଛେଦେ ଭକ୍ତ ଆଜି କାନ୍ଦୁଛି
ଗମ୍ଭୀରେ ରହି ଉଠେଇଦେ ଲୋ ମା' ପାଦ
ଘୁଞ୍ଚିଯାଉ ଜଗତୁ ରୋଗ ଦୁଃଖ ଖେଦ
ଅନୁଗତ୍ୟ ସଦା କରି ରଖ ମା' କୃ6ଷ୍ଣ
ଭରିଦିଅ ହୃଦେ ଭକ୍ତି କୃଷ୍ଣ ସେଵନେ
କାୟୋମନୋ ବାକ୍ୟେ କେବେ ନୋହିବି ଚ୍ୟୁତ
ଲୋଟିଛି ଏ ମଥା ପାଦେ ଲୋଟିଥିବ ତ
