ଶେଷ ପଞ୍ଚୁକ
ଶେଷ ପଞ୍ଚୁକ
ଶରତ ଋତୁ ପ୍ରଭାବେ ପରିମଳ ଦଶଦିଗେ
ବିରହେ ମୁରଲୀ ସପ୍ତସୁରେ ପରଶେ
ନିକୁଞ୍ଜ କୁଞ୍ଜ କାନନ କୁସୁମେ ଶୋଭାୟମାନ
ଜ୍ୟୋତ୍ସ୍ନା ବିଧୌତରଜନୀ ଶଶୀ ପ୍ରକାଶେ
ସ୍ବର୍ଗୀୟ ସୁଷମା ବିରାଜେ
ନନ୍ଦନବନ କି' ଆଜ ମର୍ତ୍ତ୍ୟରାଇଜେ।
ଯମୁନା ହୁଏ ଚଞ୍ଚଳ କଦମ୍ବ ନୃତ୍ୟେ ଅଧୀର
କୁହୁତାନେ ରୋଳେ ପିକ ଲଳିତ ସ୍ଵରେ
ନବୀନ ମାଳତୀ ପୁଷ୍ପ ବିକଶେ ହୋଇ ହରଷ
ମଧୁମକ୍ଷିକା ଗୁଞ୍ଜନ ମଧୁଗନ୍ଧରେ
ଦକ୍ଷିଣ ଦିଗେ ସମୀରଣ
ଆହ୍ଲାଦିତ କରୁଥାଏ ହୃଦୟ ପ୍ରାଣ।
ତମାମ ଗୋକୁଳ ସେ ତ ବଂଶୀରେ ପ୍ରତିଧ୍ୱନିତ
ବଂଶୀ ନାଦେ ବାୟାଣୀ ସେ ବ୍ରଜ ରମଣୀ
ହେଲେ ସର୍ବେ ମଦମତ୍ତ ଭାବ ରସରେ ଉନ୍ମତ
ନାମ ତାଙ୍କ ଯେହ୍ନେ ଡାକେ ମୁରଲୀ ଧ୍ୱନୀ
ଷୋଳସସ୍ର ବ୍ରଜ ତରୁଣୀ
ଧାଉଁଥିଲେ କୁଞ୍ଜବନେ ହୋଇ ବାୟାଣୀ।
ପ୍ରାୟପ୍ରିୟା ବୃଷଜେମା ଛାତିରେ ଛନକା ସିନା
ଭୁଲିଗଲା ଶାଶୁ ନଣନ୍ଦଙ୍କ ଆକଟ
ଛାଡି ଲାଜ ହେଲା ସଜ ଷୋଳ ଶୃଙ୍ଗାରରେ ଆଜ
ଧାଇଁଲାଧରି ସଖିଙ୍କୁ ଯମୁନା ତଟେ
ରୁଣୁଝୁଣୁ କଙ୍କଣ ନାଦ
ଛମଛମ୍ ଶୁଭେ ପାଉଁଜିର ଶବଦ।
ପହଁଚନ୍ତି କୃଷ୍ଣକାନ୍ତା ସକଳ ଗୋପୀପ୍ରମତ୍ତା
କୃଷ୍ଣ ମିଳନ ଅଭିପ୍ସା ମନରେ ଭରି
ଦିବ୍ୟ କେଳିରସ ଆଶେ ପ୍ରୀତିପରଶ ଲାଳସେ
ବିଜେ ରାଇ,ବିଜେ ସର୍ବ ଗୋପସୁନ୍ଦରୀ
ଦରହାସେ ଲାଜ ଚାହାଣୀ
ବିଦଗ୍ଧ ହୁଅନ୍ତି ଦେଖି ଶ୍ରୀବେଣୁପାଣି।
ଶ୍ୟାମଳ କୋମଳତନୁ ଜ୍ୟୋତି ଝରଇ ବଦନୁ
କଟିତଟେ ପିତାମ୍ବର ଶୋଭାୟମାନ
କୁଣ୍ଡଳ ଗଣ୍ଡ ମଣ୍ଡଳ ମଥାରେ ମୟୁର ଚୂଳ
ଚପଳ ବାଙ୍କଚାହାଣୀ ମଧୁସୂଦନ
ମକରନ୍ଦ ଛନ୍ଦାପୟର
ସୁର,ନର,ଅସୁର ଯା'ର ପରିଚାର।
ପରଂବ୍ରହ୍ମ ଚିନ୍ତାମଣି ଚିନ୍ତୁଥିଲେ ମନଜାଣି
ବରିଥିଲେ ତପେ ଏ ତ ସହସ୍ରତପୀ,
ପୁରାଇବି ତାଙ୍କ ଆଶ ହୋଇବି ଷୋଳସ୍ର ବେଶ
ଗୋଟିଏ କୃଷ୍ଣକୁ ପୁଣି ଗୋଟିଏ ଗୋପୀ
ରଚିବି ଦିବ୍ୟ ମହାରାସ
ମଧ୍ୟେ ଅର୍ଦ୍ଧାଙ୍ଗଈଶ୍ୱରୀ ଥିବେ ମୋ' ପାଶ।
ରଚିଲେ ରାସ ମୁରାରୀ ସହସ୍ର ଗୋପୀଙ୍କୁ ଧରି
ପୃଥିବୀ ଆକାଶ ହୋଇଲା ଏକଭୁତ
ଜୀବପରମ ମିଳନ ପ୍ରାଣପ୍ରାଣରେ ବିଲୀନ
ଉଲ୍ଲସିଦ ଉନ୍ମାଦନ ଜୀବଜଗତ
ଦୁର୍ଲ୍ଲଭ ସେ ମୁହୂର୍ତ୍ତ ଦିବ୍ୟ
ଝୁରୁଛି ଯୁଗରୁ ଯୁଗ ଦେବ ମାନବ।
