ତାଣ୍ଡବ
ତାଣ୍ଡବ
ହେ ମହାଦେବ ପ୍ରଭୁ ସଦାଶିବ!
ପୁନର୍ବାର ତୁମ୍ଭେ ରଚ ହେ ତାଣ୍ଡବ
ରଚ ହେ ତାଣ୍ଡବ ବାରେ
ଆଜି କାନ୍ଦୁଛି ବିକଳେ
କଇଁ କଇଁ ହୋଇ ସସାଗରାଧରା
ଏଇ ମଣିଷର ପାପ ଭାରେ !
ହେ ମହାରୁଦ୍ର ପ୍ରଭୁ ମହାକାଳ!
ଫେଡ଼ି ଦେଇ ତବ ତୃତୀୟ ନୟନ
କର ହେ ଅନଳ ବର୍ଷା
ସେଇ ଦାବାନଳରେ ଦୂରେଇ ଯାଉ
ସବୁ ନାରକୀୟ ହିଂସା !
ହେ ନଟରାଜ ପ୍ରଭୁ ଭୋଳାଶଙ୍କର!
ରଚ ହେ ତାଣ୍ଡବ ବାରେ
ଡମ୍ବରୁ ବାଦ୍ୟରେ ଭୀତି ସଞ୍ଚାର
କର ହେ ପାପର ସଂହାର
ହରି ନିଅ ଧରଣୀର ଭାର !
ହେ ତ୍ରିଭୁବନେଶ୍ବର ପ୍ରଭୁ ପଶୁପତି!
ମୁଁହିଁ ମୂଢମତୀ କରଇ ବିନତି
ରଚ ହେ ତାଣ୍ଡବ ବାରେ
ତ୍ରିପୁର କମ୍ପିବ ତୁମ୍ଭରି ହୁଙ୍କାରେ
ଧର୍ମର ହୋଇବ ଜୟ ସଂସାରେ !
ହେ ଶିବଶମ୍ଭୁ ପ୍ରଭୁ ଆଦିଦେବ!
ଅନାଦି ଅନନ୍ତ ସର୍ବଶକ୍ତିମାନ
ତୁମ୍ଭେ ହିଁ ସୃଷ୍ଟିର ଆଦି ପୁରୁଷ
ଫେଡ଼ି ଦେଇ ତୁମ୍ଭ ତୃତୀୟ ନୟନ
ନାଶ କର କଳି କଳୁଷ !
ହେ ମହେଶ ପ୍ରଭୁ ବିଶ୍ବେଶ୍ବର!
ଏହି ଅକିଞ୍ଚନ ଜନେ କୃପା ବହି
ତୁମ୍ଭରି ଚରଣେ ଦିଅ ହେ ଶରଣ
ଷଡରିପୁ ହରି ଭବୁ ପାରିକର
ଜୀବାତ୍ମା ମୋହର ହେଉ ଉଦ୍ଧାର !
