ସ୍ୱପ୍ନର ମାନସୀ.. ପ୍ରଣତି ଜେନା
ସ୍ୱପ୍ନର ମାନସୀ.. ପ୍ରଣତି ଜେନା
କଳ୍ପନାର କୋଳେ ଅନୁଭୂତି ଢାଳେ
ବାସ୍ତବତା ଆଣେ ରଙ୍ଗ
ଭାବଲଗ୍ନା ତୀରେ ସାଉଁଟି ସଧୀରେ
ସ୍ୱପ୍ନଝରା ସେ ତରଙ୍ଗ
କବିର କବିତା ସ୍ୱାଭିମାନ ଗୀତା
ଚେତନାର ଉନ୍ମୀଳନ
ବାର୍ତ୍ତା ତାର ଭରା ସମାଜକୁ ସାରା
ଆମନ୍ତ୍ରି ଶବ୍ଦ ଅଙ୍ଗନ
ପ୍ରକୃତିର ଶୋଭା ରୂପେ ଅନୁଭଵା
ଆଙ୍କି ଦିଏ ଅନୁରାଗେ
କେବେ ଶିଳ୍ପୀବାଳା ଅଧିର ସେ କଳା
ରୂପ ଦିଏ କାବ୍ୟ ରାଗେ
କବିର ଭାବନା ମାନସ ଚେତନା
ଶବ୍ଦ ତରଙ୍ଗେ ହିଲ୍ଲୋଳ
ହୃଦୟ କଳ୍ପନା ନିତ୍ୟ ସେ ନୂତନା
ସ୍ୱପ୍ନେ ରଚେ ସେ କଲ୍ଲୋଳ
ନବୀନା ରୂପସୀ ସ୍ୱର୍ଗର ଉର୍ବଶୀ
ଅନନ୍ୟା ଗୋ ଅନୁପମା
ରାତ୍ରି କୋଳ ଚୁମି ଅଭିସାରେ ଉର୍ମି
ଶବ୍ଦମେଳାର ସୁଷମା
ନବ ରସ ତାର ଅନୁଭବେ ସାର
ମିଳନ ବିରହ ତାର
ବେଦନା ବିଧୁର ମଳୟର ସ୍ୱର
ମିଳନ କୁଞ୍ଜେ ବିହର
p>ସୂକ୍ଷ୍ମତାରେ କେବେ ପଞ୍ଚସ୍ୱରେ ହଜେ
ନିତ୍ୟ ଯଉବନା ସାଜେ
ଅନୁରାଗେ ହଜେ ଶ୍ରାବଣ ରେ ଭିଜେ
ମୋହର ଚୁମ୍ବକ ସେ ଯେ
ଛନ୍ଦର ବୟସୀ ସ୍ୱପ୍ନ କୁଞ୍ଜେ ଆସି
କବିତା ରାଣୀ ପ୍ରେୟସୀ
ଚାନ୍ଦର ଉହାଡେ ବଉଦ ରୋଶଣୀ
କବି ସ୍ୱପ୍ନର ମାନସୀ
କାବ୍ୟ ଉହାଡ଼ରେ କେବେ ଝରିଯାଏ
ଶ୍ରାବଣେ ବସନ୍ତ ରାସ
ମଳୟ ଝରାଏ କୋକିଳ କୁହୁରେ
ରଙ୍ଗ ପାର୍ବଣେ ସୁବାସ
ରାତ୍ରିଭିଜା ତୀରେ ତାରାପଂକ୍ତି ଧିରେ
କଳ୍ପନା ବିଳାସୀ ସୁରେ
ଆଙ୍କି ପାରେ କବି ଅମୀୟ ସୁସ୍ଵରେ
ମେଘମେଦୁର ରାଗରେ
ରାଜା ଠାରୁ ରଙ୍କ ଅଙ୍କରେ କବିତା
ଆକର୍ଷଣେ ପ୍ରଲୋଭିତ
ଶୀତଳ ଚନ୍ଦନ ପରି ଉପଶମ
ହୃଦୟ ଜ୍ୱାଳା ଅସ୍ତିତ୍ୱ
ସ୍ୱପ୍ନ ରାଇଜର ଅଳକାନନ୍ଦା ସେ
ବେଗବତୀ ନଈସୁଏ
କେବେ ତ ଉଛୁଳେ ପ୍ରଣୟ ପଖାଳେ
ବସନ୍ତେ ମଳୟ ଛୁଏଁ