STORYMIRROR

Pranati Jena

Inspirational

3  

Pranati Jena

Inspirational

ସ୍ୱପ୍ନର ମାନସୀ.. ପ୍ରଣତି ଜେନା

ସ୍ୱପ୍ନର ମାନସୀ.. ପ୍ରଣତି ଜେନା

1 min
187

କଳ୍ପନାର କୋଳେ ଅନୁଭୂତି ଢାଳେ 

  ବାସ୍ତବତା ଆଣେ ରଙ୍ଗ 

ଭାବଲଗ୍ନା ତୀରେ ସାଉଁଟି ସଧୀରେ

  ସ୍ୱପ୍ନଝରା ସେ ତରଙ୍ଗ    


କବିର କବିତା ସ୍ୱାଭିମାନ ଗୀତା

  ଚେତନାର ଉନ୍ମୀଳନ 

ବାର୍ତ୍ତା ତାର ଭରା ସମାଜକୁ ସାରା

  ଆମନ୍ତ୍ରି ଶବ୍ଦ ଅଙ୍ଗନ    


ପ୍ରକୃତିର ଶୋଭା ରୂପେ ଅନୁଭଵା

  ଆଙ୍କି ଦିଏ ଅନୁରାଗେ 

କେବେ ଶିଳ୍ପୀବାଳା ଅଧିର ସେ କଳା

  ରୂପ ଦିଏ କାବ୍ୟ ରାଗେ    


କବିର ଭାବନା ମାନସ ଚେତନା

 ଶବ୍ଦ ତରଙ୍ଗେ ହିଲ୍ଲୋଳ 

ହୃଦୟ କଳ୍ପନା ନିତ୍ୟ ସେ ନୂତନା

 ସ୍ୱପ୍ନେ ରଚେ ସେ କଲ୍ଲୋଳ   


ନବୀନା ରୂପସୀ ସ୍ୱର୍ଗର ଉର୍ବଶୀ

  ଅନନ୍ୟା ଗୋ ଅନୁପମା 

ରାତ୍ରି କୋଳ ଚୁମି ଅଭିସାରେ ଉର୍ମି 

  ଶବ୍ଦମେଳାର ସୁଷମା    


ନବ ରସ ତାର ଅନୁଭବେ ସାର

  ମିଳନ ବିରହ ତାର 

ବେଦନା ବିଧୁର ମଳୟର ସ୍ୱର

  ମିଳନ କୁଞ୍ଜେ ବିହର    


ସୂକ୍ଷ୍ମତାରେ କେବେ ପଞ୍ଚସ୍ୱରେ ହଜେ

  ନିତ୍ୟ ଯଉବନା ସାଜେ 

ଅନୁରାଗେ ହଜେ ଶ୍ରାବଣ ରେ ଭିଜେ

  ମୋହର ଚୁମ୍ବକ ସେ ଯେ    


ଛନ୍ଦର ବୟସୀ ସ୍ୱପ୍ନ କୁଞ୍ଜେ ଆସି 

  କବିତା ରାଣୀ ପ୍ରେୟସୀ 

ଚାନ୍ଦର ଉହାଡେ ବଉଦ ରୋଶଣୀ 

  କବି ସ୍ୱପ୍ନର ମାନସୀ    


କାବ୍ୟ ଉହାଡ଼ରେ କେବେ ଝରିଯାଏ

  ଶ୍ରାବଣେ ବସନ୍ତ ରାସ 

ମଳୟ ଝରାଏ କୋକିଳ କୁହୁରେ

 ରଙ୍ଗ ପାର୍ବଣେ ସୁବାସ    


ରାତ୍ରିଭିଜା ତୀରେ ତାରାପଂକ୍ତି ଧିରେ

  କଳ୍ପନା ବିଳାସୀ ସୁରେ 

ଆଙ୍କି ପାରେ କବି ଅମୀୟ ସୁସ୍ଵରେ

  ମେଘମେଦୁର ରାଗରେ   


ରାଜା ଠାରୁ ରଙ୍କ ଅଙ୍କରେ କବିତା

  ଆକର୍ଷଣେ ପ୍ରଲୋଭିତ 

ଶୀତଳ ଚନ୍ଦନ ପରି ଉପଶମ

  ହୃଦୟ ଜ୍ୱାଳା ଅସ୍ତିତ୍ୱ    


ସ୍ୱପ୍ନ ରାଇଜର ଅଳକାନନ୍ଦା ସେ

  ବେଗବତୀ ନଈସୁଏ 

କେବେ ତ ଉଛୁଳେ ପ୍ରଣୟ ପଖାଳେ

  ବସନ୍ତେ ମଳୟ ଛୁଏଁ    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational