ଦର୍ପଣ
ଦର୍ପଣ
ଦର୍ପଣର ପଣ ସତ୍ୟର ଦର୍ଶନ
ନାହିଁ ଭେଦା ଭେଦ ମନେ
ପ୍ରତିଛବି ପ୍ରତିଫଳନେ ଦେଖାଏ
ବାହ୍ୟ ରୂପ ପ୍ରଦର୍ଶନେ ।
ଟୁକୁଡ଼ା ଟୁକୁଡ଼ା ହୋଇ ପଡ଼ି ଲେ ବି
ମୂଳତତ୍ତ୍ବ କୁ ନ ଭୂଲେ
ସତ୍ୟ ଦେଖାଇବା ସାଜି ସଜାଇବା
ଜାଗରୁକତାରେ ଡୋଲେ ।
ପଛପଟ ରୁଦ୍ଧ ପ୍ରତିଛବି ସିଦ୍ଧ
ଜୀବନ ତତ୍ତ୍ଵରେ ଭରା
ଦର୍ପଣ ଶିଖାଏ ଜୀବନ ଦର୍ଶନ
ଅପରୂପ ସେ ନିଆରା ।
ସରିତା ସାଗର ଆକାଶର ରୂପ
ଅପରୂପତା ଦର୍ଶାଏ
ଧରିତ୍ରୀ ବୁକୁରେ ତା ପ୍ରତି ଫଳନ
ମନରେ ପ୍ରୀତି ଜଗାଏ ।
ଆଖି ଆଇନାରେ କେତେ ଛବି ଭାସେ
ନିରୁତା ଦର୍ଶନ ଲୋଡ଼ା
ସତ୍ୟ ନିରପେକ୍ଷ ହୋଇଲେ ନୟନ
ବ୍ୟକ୍ତିତ୍ଵ ହୁଏ ଚଉଡ଼ା |
ମନ ଦରପଣେ ମଇଳା ଜମିଲେ
ଅସ୍ପଷ୍ଟ ଜୀବନ ଲକ୍ଷ୍ୟ
ଦରପଣ ଟିକୁ ପରିସ୍କାର କଲେ
ଜୀବକୁ ମିଳଇ ସଖ୍ୟ ।
ନିର୍ଜୀବ ଦର୍ପଣ ସ୍ଵଚ୍ଛତା ନଥିଲେ
ରୂପ ହୁଅଇ ଅସ୍ପଷ୍ଟ
ମନ ଦର୍ପଣରେ ମଇଳା ଜମିଲେ
ଜୀବନେ ମିଳଇ କଷ୍ଟ ।
ବାହ୍ୟ ରୂପରେଖ ଦର୍ପଣେ ଚ଼ହଟେ
ଦର୍ଶନେ ସଜଡ଼ା ଚ଼େଷ୍ଟା
ଅନ୍ତଃ ଚେତନା କୁ ଆତ୍ମ ବଳ ଦିଏ
ମନ ଦର୍ପଣ ପ୍ରଚେଷ୍ଟା ।
ଦର୍ପଣ ଯେସନେ ପଛ ରୁଦ୍ଧ କରି
ସତ୍ୟ କୁହେ ଅହ ରହ
ମନ ଅହଂ ରୁଦ୍ଧ ସମତା ଆଣଇ
ହୃଦ ବାସେ ମହ ମହ ।
ଦର୍ପଣ ଯେସନ ସତ୍ୟ ବ୍ରତା ଟିଏ
ମନ ହେଲେ ସତ୍ୟପ୍ରିୟା
ପାତର ଅନ୍ତର ନୀତି ଛାଡ଼ି ଦେଲେ
ଜୀବନ ହୁଅଇ ଶ୍ରେୟା ।
ମନ ଦରପଣେ ଅନ୍ତଃ ଚେତନାର
ହୁଅଇ ପ୍ରତିଫଳନ
ମନ ଦରପଣେ ନିଜ ପ୍ରତିଛବି
ନିଜକୁ କରେ କଥନ |
ସତ୍ୟ ନିଷ୍ଠତାରେ ବିବେକ ଦାନରେ
ନିଜକୁ ନିଜେ ଦେଖିଲେ
ନିର୍ମଳ ଭାବରେ ଭରିବ ଜୀବନ
ମିଥ୍ୟା ଆଶ୍ରୟ ନ ନେଲେ ।
ସାହିତ୍ୟ ଅଟଇ ସମାଜ ଦର୍ପଣ
ହୁବହୁ ରୂପ ଦେଖାଏ
ସେ ରୂପ କୁ ଦେଖି ଜାଗରୁକ ହେଲେ
ସମାଜ ବଦଳି ଯାଏ ।
ସତ୍ୟର ଆସ୍ଥାରେ ନିରପେକ୍ଷତା ରେ
ଦର୍ପଣ ଦର୍ଶାଏ ରୂପ
ସେ ରୂପ ଦର୍ଶନେ ସଜ୍ଜୀକରଣର
ଇଚ୍ଛାର ମିଳେ ସ୍ୱରୂପ ।
ଜୀବନକୁ ସୁସ୍ଥ ସୌମ୍ୟ କରିବାକୁ
ଦର୍ପଣର ଗୁଣ ଲୋଡ଼ା
ସ୍ବଚ୍ଛ ନ ହୋଇଲେ ଜୀବନେ କେମିତି
ହେବ ଶାନ୍ତି ସୌଧ ଗଢ଼ା ।
ଦର୍ପଣ ନ ଛାଡେ ମୂଳ ଗୁଣ କେବେ
ଯେତେ ବି ଟୁକୁଡ଼ା ହେଲେ
ମୂଳ ଗୁଣ ଆମ ମାନବୀୟ ଅଟେ
ଛାଡ଼ି ଦେଲେ ପଥ ଭୁଲେ ।
ଦର୍ପଣ କି ଖାଲି ଦର୍ଶନ ସାଧନ
ସେଥିରେ ଦର୍ଶନ ଲେଖା
ଜୀବନେ ତାହାକୁ ଲଗାଇ ପାରିଲେ
ହେବ ଜୀବନ ସମୀକ୍ଷା ।
