ଆଖି ଖୋଲିବାର ବେଳ
ଆଖି ଖୋଲିବାର ବେଳ
ଚକଚକିଆ ରାଜଧାନୀ ଭୁବନେଶ୍ବର ଆଉ
ଏହି ଐତିହ୍ୟନଗରୀ କଟକରେ
ମାଳ ମାଳ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ବନ୍ଧା
ହୋଇଛି ଖାଲି ବିଜ୍ଞାପନରେ
ସହର ଭିତରେ ଜମିଛି ଏଇଠି ସେଇଠି ମଦ୍ୟପ
ଅବା ବାସ୍ତୁହରାଙ୍କ ଆସ୍ଥାନ
ମହାନଗର ଦୁଇଟିରେ ବୃକ୍ଷରାଜି ସବୁ କଂକ୍ରିଟ
ମାଳରେ ହୋଇଛି ଅଦୃଶ୍ୟମାନ
ଯିଏ ମହାନ୍ ମଣିଷ ସବୁ ଲେଖିଛନ୍ତି ସ୍ବତନ୍ତ୍ର ଓ
ସମୃଦ୍ଧ ଉତ୍କଳର ଜନ୍ମଜାତକକୁ
ମନରେ ପଚାର, ଆଜି କେତେ ମନେ ରଖିଛନ୍ତି
ସେହି ଯୋଗଜନ୍ମା ମହାନ ବ୍ୟକ୍ତିଙ୍କୁ
ଜଣେ ଲୋକ ଯୋଗଜନ୍ମାଙ୍କ ପ୍ରତିମୂର୍ତ୍ତିକୁ ଅଣ
ଦେଖା କରି ପରିସ୍ରା କରୁଥିଲା
ପଚାରିଲି ତାକୁ ମହାପୁରୁଷଙ୍କ ନାମ, ନ କହି
ପାରିବାରେ ଆଶ୍ଚର୍ଯ୍ୟ ଲାଗି ନଥିଲା
ସୃଜନ ଓ ସଂସ୍କୃତିର ଘୋର ଅବକ୍ଷୟ ହୋଇଛି,
ବାହୁବଳୀ ମଣିଷ ଲାଭ କରନ୍ତି ସମ୍ମାନ
ଶାସନ କରନ୍ତି ଅର୍ଥସର୍ବସ୍ଵ ଓ ସଂସ୍କୃତିଶାଳୀନତା
ବିବର୍ଜିତ ‘ବର୍ଣ୍ଣଶଙ୍କର’ ଗଣ !
ମୋ ଜନ୍ମିତ ମାଟିରେ ଯେଉଁ ମଣିଷ ମାନଂକୁ
ନେଇ ସମଗ୍ର ଉତ୍କଳ ଗର୍ବିତ
ମାପ, ସେମାନଙ୍କ ପ୍ରତି ଆମର କେତେ ଶ୍ରଦ୍ଧା ସମ୍ମାନ,
ହୋଇନିକି ମାନସିକତା ବିକୃତ
ଭାବୁଛି, କେତେ ରୁଗ୍ଣ, ନିବୀର୍ଯ୍ୟ, ଅନ୍ତଃସାରଶୂନ୍ୟ,
ମୁମୂର୍ଷୁ ଆମେ ହୋଇ ପଡ଼ିଛେ
ପବିତ୍ର ଫୁଲର ବାସ୍ନା ଅସହ୍ୟ ! ଆମେ କିନ୍ତୁ ପଚା
ଆଇଁଷକନା ଗନ୍ଧରେ ମାତିଛେ
ଆମ ଯୁବପିଢ଼ି ଯେତେବେଳେ ଛଳନା, ମିଥ୍ୟାଚାର,
ବିକୃତି ଓ ଅପସଂସ୍କୃତିରେ କବଳିତ
ପ୍ରସ୍ତୁତ ହେବା ଆସନ୍ତୁ ମୂଲ୍ୟବୋଧ, ତ୍ୟାଗ, ସେବାକୁ
କରିବା ପୁନଃ ଉଜୀବିତ
ଆମେ ହେବା ଆଶାବାଦୀ, ଅବକ୍ଷୟର ସଂକଟମୟ
ଅମାବାସ୍ୟା ରାତିର କାଳିମା ହଟିବ
ଆମର ତରୁଣ ପିଢି ଉଚ୍ଛୁଳା ଜହ୍ନ ରାତିରେ ଅରମା,
ଅବାଟ ଛାଡି ଠିକଣା ବାଟରେ ଚାଲିବ ।
