କାହାରି ମନରେ ଦେବିନି କଷ୍ଟ
କାହାରି ମନରେ ଦେବିନି କଷ୍ଟ


ଯେଉଁ କର୍ମ ବାକ୍ୟ ହୃଦୟକୁ ହାଣି
ମନକୁ କରାଏ କେତେ ଯେ ରୁଷ୍ଟ
ଏକଥାକୁ ହେଜି ନେଇଛି ସିଦ୍ଧାନ୍ତ
କାହାରି ମନରେ ଦେବିନି କଷ୍ଟ ।
ଏହି ଚିନ୍ତାଧାରା ରଖେ ଯେ ମନରେ
ବରିବେଶେ ତା'ର ବଢ଼େ ଆଦର
ମିତଟିଏ ପରି ଆନ ପାଖେ ରହି
ତୋଳଇ ବିଶ୍ବାସ ଭରସା ଘର ।
ବିନୟ ବଚନ ହରେ ପ୍ରାଣୀମନ
ସେନେହ ସୋହାଗ କରଇ ବଶ
ହୃଦୟୁ ଝଙ୍କୃତ ପାବନ ସ୍ବଭାବ
ଦେଖି ପରା କେହି ହୁଅଇ ତୋଷ ।
ଆନର ଚକ୍ଷୁରେ ଦିଶଇ ସୁନ୍ଦର
କେତେ ଯେ କେଜାଣି ନମ୍ରତା ସାଜ
ପ୍ରତି ମଣିଷର ଏ ଅମୂଲ୍ୟ ଧନ
ରଖିଥାଏ ଗୁଣୀ କରିକି ସଜ ।
କାନ୍ଦଇ ହୃଦୟ ଆନ ଦୁଃଖ କଷ୍ଟେ
ଯାହାର ସେ ଜଣେ ମହତ ଜନ
ଦେଇ ନ ପାରଇ
ଅପରେ ଯନ୍ତ୍ରଣା
ସେବିବାରେ ନିରଳସ ତା' ଧ୍ୟାନ ।
ଜୀବନ ଯୌବନ ଧନ ସନମାନ
କ୍ଷଣସ୍ଥାୟୀ ଯେଣୁ ସବୁ ମରତେ
ତାକୁ ପ୍ରେମ କରି କିଛି ଲାଭ ନାହିଁ
ବୁଝି ରହିଥାଏ ନିଃସ୍ଵାର୍ଥ ଚିତ୍ତେ ।
ଆତ୍ମାରୂପୀ ହରି ସକଳ ଦେହରେ
ଯେଣୁ କରିଛନ୍ତି ବିରାଜମାନ
ଅନ୍ୟକୁ ଆଘାତ ନିଜକୁ କ୍ଷତାକ୍ତ
ବୁଝିବା ଉଚିତ ନୁହେଁ କି ଜନ ?
ଗଲାବେଳେ ସାଥେ କିସ ଘେନିଯିବା
ମନକୁ ପଚାରିଥାଏ ଯେ ସଦା
ତା'ଠାରେ ଦର୍ଶନ ଭଲ ଆଚରଣ
କରିଦେଇ ପାରି ମନ୍ଦକୁ ବିଦା ।
ଶିଷ୍ଟପଣରେ ଜନମାନସରେ
ଉଜ୍ଜ୍ବଳିତ ରହେ ତାହାର ପ୍ରଭା
ଯେତେ ଦିନ ଜିଏଁ ମରତ ଧାମରେ
ବିକଶିତ କରେ ନିଜର ପ୍ରଭା ।