ବସୁଧା କରିବ ମସୁଧା
ବସୁଧା କରିବ ମସୁଧା
ଭାବୁଛି ନିତି କ୍ଷଣେ ଅନୁକ୍ଷଣ
ଅଭାବ ଥାକ ଥାକ ଶବ୍ଦର
ଅନାଟନ ପୁଞ୍ଜ ପୁଞ୍ଜ ପଦର
ଭାବନାଗୁଡ଼ା ଗଜୁରିବା ଉତୁରିବା ଆଗରୁ
ଗଜା ମରୁଡିରେ
ଛଟପଟ ଅହରହ ପ୍ରତିକ୍ଷଣ
ଶୋକର ଜଞ୍ଜିରରେ ଛନ୍ଦା ପ୍ରତିପଳ
କାନ୍ଦିବାକୁ ଇଚ୍ଛା ପ୍ରବଳ
ଲୁହ ଶୁଖିଲାଣି ପରଳ
ଝରି ଯିବାକୁ ବୋହି ଯିବାକୁ
ଦୁଃଖ ସବୁ କୁ ଧୋଇ ଦେବାକୁ
ଅସମର୍ଥ ଅସମ୍ଭାଳ
ଶ୍ରାବଣ ଆସିଛି ଦେଖାନାହିଁ ବାଦଳ ଫଟା ବର୍ଷାର
କଳା ହାଣ୍ଡିଆ ମେଘ କାହିଁ
ବରକୋଳିଆ ବର୍ଷା ବି କାହିଁ
ଗୁଣ୍ଡି ଝାଡୁଛି ଭୁଇଁ ଜମା ଭିଜୁନି
ବୋଧେ ଅଭିମାନୀନୀ ଶ୍ରାବଣ ସଜନୀ
ଲଘୁଚାପ ଡାକରା ପାଇଁ
ଅଟକି ବସିଛି କରିବାକୁ ତୁମ୍ଭି ତୁଫାନି
ପଣ କରିଛି ଆଣିବ ମହାବାତ୍ୟା ସଇତାନି
ଟାଙ୍ଗରା ଜଙ୍ଗଲଟା ଲାଗୁଥିଲା ଶ୍ରୀହୀନ
ଲମ୍ବା ଲମ୍ବା ଗଛ ସବୁ ସରିଲେଣି
କଣ୍ଟା ବୁଦାରେ ବେଷ୍ଠିତ ବାଙ୍ଗରା ମଳିନ
ବଣଭୋଜି ପାଇଁ ଦିନେ ଥିଲା ଆକର୍ଷଣ ବିନ୍ଦୁ
ସର୍ପିଳ ଝରଣା ଶୁଖିଲାଣି
ବାଇଚଢ଼େଇ ଫେରିଗଲେଣି
ନ ପାଇ ଲମ୍ବା ତାଳ ଗଛର ବାହୁଙ୍ଗା
ବସା ବାନ୍ଧିବାକୁ ଯୋଗାଡ଼ ନାହିଁ ମାୟାହୀନ
ସବୁଠି ନାହିଁ ନାହିଁରେ ଜୀବନ ବିଶ୍ୱାସ
ବର୍ଷା ନାହିଁ
ମେଘ ହେଉଛି ଚାଷ ନାହିଁ
ଜଙ୍ଗଲ ନାମକୁ ମାତ୍ର ଅଛି
ପାଦପ ନାହିଁ
ସବୁଜ ବଳୟ ନାହିଁ
ଶୂନ୍ୟ ସଂସାର ସଂହିତା ଆଶ୍ଵାସହୀନ
ମାଳ ମାଳ ମଣିଷ ମାତ୍ର ସତ୍ ପାତ୍ର ନାହିଁ
ଖୋଜିବା ନିରର୍ଥିକ ଲାଗେ ଅନ୍ୟଠି
ନିଜ ଠାରେ ପ୍ରୟାସ କଲେ
ନିଜ ଦୃଷ୍ଟିକୋଣ ବଦଳେଇ ଦେଲେ
ଅସୁବିଧା କେଉଁଠି
ବସୁଧା କରିବ ମସୁଧା ଏଇଠି
ନିଜ ଘର ପରିବେଶ ସୁବିଧା ସବୁଠି।
