ବିଶ୍ୱାସେ ମିଳଇ ହରି
ବିଶ୍ୱାସେ ମିଳଇ ହରି


ମନର ବିଶ୍ୱାସ ଦୃଢତା ଦିଅଇ
ମନସ୍ତତ୍ତ୍ଵେ କରେ ଶକ୍ତି ସଂଚ଼ାର
ଜୀବନ ପାବନ କରିଦିଏ ପୁଣି
ଆସ୍ଥା ରେ ଭରଇ ମନ ମନ୍ଦିର ।
ବିଶ୍ୱାସେ ଦୁର୍ଗମ ହୁଅଇ ସୁଗମ
ବିଶ୍ୱାସେ ବିନାଶ ନିରାଶା କ୍ଷେତ୍ର
ବିଶ୍ୱାସ ବଳରେ ସ୍ୱୟଂ ର ଦର୍ଶନ
ବିଶ୍ୱାସେ ଭକ୍ତି ରେ ମନ ପବିତ୍ର ।
ଜୀବନ ରଥରେ ବିଶ୍ୱାସ ସାରଥୀ
ଧୈର୍ଯ୍ୟ ର ଉଦ୍ଭବ ମନ ମନ୍ଦିରେ
ବିଶ୍ୱାସେ କର୍ମର ମର୍ମର ଶବଦ
କର୍ମ ହୋଇଯାଏ ଯୋଗ ଶରୀରେ ।
ବିଶ୍ୱାସେ ନିଶ୍ୱାସ ବିଶ୍ୱାସେ ଭକତି
ବିଶ୍ୱାସେ ସରଳ ଭକତି ପଥ
ପବିତ୍ର ମନ୍ତ୍ରରେ ହୃଦ ସମୁଜ୍ୱଳ
ପ୍ରତୀକ୍ଷା ହୁଅଇ ଚିନ୍ମୟ ରଥ ।
ବିଶ୍ୱାସ ରେ ବିଷ ହୁଅଇ ଅମୃତ
ମୀରାର ବିଶ୍ୱାସ ସଂକଳ୍ପେ ଭରା
ପାଞ୍ଚାଳୀ ବିଶ୍ୱାସ ସମର୍ପଣ ଭାବ
କେଶବ ବର୍ଷନ୍ତି ବସ୍ତ୍ର ର ଧାରା ।
ବିଶ୍ୱାସ ବଳରେ ଭାବ ସମୁଦ୍ରରେ
ପ୍ରଭୁ କରୁଥାନ୍ତି ସର୍ବଦା ଖେଳା
ବିଶ୍ୱାସେ ଯବନ ହୁଏ ଭକ୍ତ ରତ୍ନ
ବିଶ୍ୱାସେ ନଡ଼ିଆ ଦେଲା |
ବିଶ୍ୱାସେ ଅଟକେ ନନ୍ଦିଘୋଷ ରଥ
ବିଶ୍ୱାସେ ଚୈତନ୍ୟ କୃଷ୍ଣ ଦର୍ଶନ
ବିଶ୍ୱାସ ଚିତ୍ତରେ ବଳରାମ ଦାସ
ବାଲିରଥେ ବିଜେ ଚ଼କାନୟନ ।
ବିଶ୍ୱାସ ଶ୍ରମଣା ପ୍ରତୀକ୍ଷା ର ଦଳ
ଦର୍ଶନ କରଇ ଶ୍ରୀରାମ ଚନ୍ଦ୍ର
ବିଶ୍ୱାସ ଚିତ୍ତରେ ପବନ ନନ୍ଦନ
ଲଙ୍ଘି ପାରେ ପୁଣି ସାତ ସମୁଦ୍ର ।
ବିଶ୍ୱାସ ଦିଅଇ ସ୍ଥିର ପ୍ରସନ୍ନତା
ପ୍ରଶାନ୍ତି ନିଳୟ ଗଢ଼ି ଯେ ପାରେ
ବିଶ୍ୱାସ ରେ ଫଙ୍ଗୁ ଲଙ୍ଗିପାରେ ଗିରି
ଆପ୍ତ ବାକ୍ୟ ପରା ଜ୍ଞାନ ବିତରେ |
ବିଶ୍ୱାସେ ମିଳଇ ପ୍ରଭୁଙ୍କ ଦର୍ଶନ
ଅନୁଭବେ ଛୁଟେ ଚନ୍ଦନ ବାସ
ମନ ମନ୍ଦିରରେ ପବିତ୍ର ମନ୍ତ୍ରରେ
ଅନୁଭବ ହୁଏ ହରି ପରଶ ।
ବିଶ୍ୱାସେ ଜୀବନ ହୁଅଇ ସରଳ
ଜୀବନକୁ ମିଳେ ମୋକ୍ଷର ଦ୍ଵାର
ବିଶ୍ୱାସ ହରି ସ୍ତମ୍ଭେ ଉପସ୍ଥିତ
ଭକ୍ତର ହୁଅନ୍ତି ବନ୍ଧୁ ସୋଦର ।