ରେ କବି •••
ରେ କବି •••
ତୁ କଳାର ପୂଜାରୀ ଶବ୍ଦର ଶିକାରୀ
ତୁ ଗୋଟେ ନୂଆ ଦୁନିଆର
ଈଶ୍ୱର କି ଈଶ୍ୱରୀ !
ନାଁ ,ଅଛି ତୋ କଳ୍ପନାର ସୀମା
ନାଁ ,ଅଛି ତୋ ସୃଷ୍ଟିର ଉପମା
ଲେଖନୀ ମୁନରେ ଫୁଟାଉ ତୁ
ଶବ୍ଦର କମାଣ
ବିନା ଶ୍ରାବଣରେ ଭିଜାଉ
ଏଇ ତନୁ ମନ , ଅଦିନରେ
ତୋ ପାଇଁ ଫେରେ ଏ ଫଗୁଣ !
ତୋ' ଲେଖନୀରୁ ଜନ୍ମନିଏ ବିପ୍ଳବ
ସଂକଳ୍ପର କଳ୍ପବଟ ତୁ
ପୁଣି ପୁଣ୍ୟତୋୟା ନିରଞ୍ଜନା ତଟ
ମନ ତୋ'ର ପ୍ରିତୀ ସରୋବର
ତୋ ଆଖିରେ ଫୁଟେ ସହସ୍ର କମଳ
ଭୁଲିଯା " ମୁଁ " ର ଅସ୍ତିତ୍ବ
ଦେଖିବୁ ସବୁ ଦ୍ରୁମ ହୋଇଯିବେ
ତୋ ପାଇଁ ଅଶ୍ୱତ୍ଥ !
ଏଠି ମୁଠା ମୁଠା ଛଳନା
ମେଞ୍ଚା ମେଞ୍ଚା ପ୍ରତାରଣା
ଆଞ୍ଜୁଳା ଆଞ୍ଜୁଳା ବିଶ୍ୱାସଘାତକତାରେ
ମପାହୁଏ ଜୀବନର ସଂଜ୍ଞା
ଫେରିଚାହାଁ ବାସ୍ତବତାକୁ , ବୁଝିଯିବୁ
ଚାକଚକ୍ୟତାର ନେପଥ୍ୟରେ ଲୁଚିଛି
ପ୍ରତିଶ୍ରୁତିର କେତେ ମାର୍ମିକ ବେଦନା !
କିନ୍ତୁ ,
ସାବଧାନ ଥିବୁ କବି !
ତୋ'ର ସେ ସ୍ୱଚ୍ଛ ଓ ପବିତ୍ର ଭାବନାକୁ
ହୀନମନ୍ୟତା କେବେ ନ କରୁ ଦଂଶନ
ନଚେତ ଭୁଶୁଡି ପଡିବ
ତୋ କଳ୍ପନାର ଦୁର୍ଗ
ବିପର୍ଯ୍ୟସ୍ତ ହେବ
ତୋ ଚିନ୍ତା ଓ ଚେତନାର ସ୍ୱର୍ଗ
କିଛି ବ୍ୟଙ୍ଗ ଅଟ୍ଟହାସ୍ୟ
ତୋତେ କରିବେ ବିଦ୍ରୁପ ।
ଫର୍ଦ୍ଦେ କାଗଜ / ଗୋଟାଏ ଲେଖନୀ
ଏଇ ତୋ ଜୀବନର ସର୍ବସ୍ବ
ଅପ୍ରାପ୍ତିରେ ପ୍ରାପ୍ତିର ଉତ୍ସ ।
ତୋ ସ୍ୱପ୍ନର ବତୀଘରେ
ଜଳୁଥିବା ଯାଏଁ ଜ୍ୟୋତି
ତୁ ଥା ଏମିତି ଚିର ସବୁଜ ।