ପତ୍ର ଝଡା ବସନ୍ତ
ପତ୍ର ଝଡା ବସନ୍ତ
ଫୁଲ କହିଲା ଫଗୁଣକୁ
ସ୍ୱପ୍ନକୁ କାହିଁ ଚିହ୍ନାଇଲ
ଅମୃତ କି ବିଷ ।
ଫଗୁଣ କହିଲା
ସବୁରି ମୂଳରେ ବିଶ୍ୱାସ ।
ଫୁଲର ପ୍ରଶ୍ନ
ଫଗୁଣର ଉତ୍ତର ଶୁଣି
ବିଚାରୀ କୋଇଲିର
ସହିଲାନି ଦେହ ।
ମୁହଁ ଖୋଲି କହିଦେଲା
ଅଭିମାନ ଅଭିଯୋଗ ଯା'ର
ଯାହା ଅଛି କୁହ ।
ଆସିଲା ହଳଦୀ ବସନ୍ତ
କୋଇଲି ଠୁ ଶୁଣିଲା
ଦୁହିଁଙ୍କ ବୃତ୍ତାନ୍ତ ।
ଜଣେ ବାଢିଲା ପ୍ରେମର ସର୍ତ୍ତ
ଜଣେ ଖୋଜିଲା ତା'ର ଅର୍ଥ ।
ସମୟ କହିଲା
ସର୍ତ୍ତ ଆଉ ଅର୍ଥ
ଯେତେବେଳେ ହୁଏ ବ୍ୟର୍ଥ
ସେତେବେଳେ ହୁଏ ସବୁ ଅନର୍ଥ ।
କିଛି ସ୍ୱପ୍ନ ହୋଇଯାଏ ଲୁପ୍ତ
ଆଉ କିଛି ରହିଯାଏ ଗୁପ୍ତ ।
ବୁଝାପଡ଼ିଲା
ସବୁ ଅଘଟଣ ମୂଳେ
ପ୍ରେମ ଓ ପ୍ରଣୟର ଚିତ୍ର
ବେଳେବେଳେ ବଦଳାଇ ଦିଏ
ଜୀବନ ଚରିତ ।
ଅସହାୟ ହେଲା କୋଇଲି
ନିରୁପାୟ ହଳଦୀବସନ୍ତ ।
ଫୁଲର ବୃନ୍ତରୁ
ଫଗୁଣ ହେଲା ଭୁଲୁଣ୍ଠିତ
ସ୍ମୃତିର ମଉଳା ଛାଇରେ
ଋତୁଚକ୍ର ହରାଇଲା ଅସ୍ତିତ୍ବ ।
ଶୈଶବର ଖେଳ
ଯୌବନର ସ୍ୱର
ବର୍ଦ୍ଧକ୍ୟର ବଳ
ଅସ୍ତମିତ ହେଲା ପରି
ପତ୍ର ଝଡା ଦେଲା ଏ ବସନ୍ତ ।