ସ୍ପନ୍ଦନର ଆଢୁଆଳେ
ସ୍ପନ୍ଦନର ଆଢୁଆଳେ


ଆଲୋକର ଅନ୍ତରାଳେ
ସ୍ପନ୍ଦନର ଆଢୁଆଳେ
ଛଳନାର ଛିଦ୍ର କୃଷ୍ଣଗର୍ତ୍ତ ,
ଗ୍ରାସିଯାଏ ସବୁକିଛି
ଗ୍ରହତାରା ସୁଖ ଶାନ୍ତି
ସ୍ନେହପ୍ରେମ ଜୀବନ ଅମୃତ ।
ଅଦୃଶ୍ୟ ତା ମାୟାଜାଲ
ଅବରୋଧେ ଗତିପଥ
ବ୍ୟତୀବ୍ୟସ୍ତ କରେ ବାଧାବିଘ୍ନ,
ଆକର୍ଷଇ ଘନଘୋର
କୁହୁକର ଛଳବଳ
ମୃଗତୃଷ୍ଣା ମତି କରେ ଭ୍ରମ ।
ସ୍ପନ୍ଦନୁ ହେଉ ଉତ୍ପତ୍ତି
ଚେତନାର ଦିବ୍ୟ ଜ୍ୟୋତି
ପ୍ରକାଶୁ ଆଲୋକ ପ୍ରତିରୂପ,
ନାଦୁ ଶୁଭ ପଞ୍ଚଜନ୍ୟ
ପୁକାରୁ ପ୍ରଣବ ସ୍ୱନ
ଜାଗିଉଠୁ ପବିତ୍ର ସଙ୍କଳ୍ପ ।
ମିଛ ମାୟା ଅହଙ୍କାର
କୃଷ୍ଣଗର୍ତ୍ତ ଅନ୍ଧକାର
ଦୂରହେଉ କଳମୁଷ ପାପ,
ଅବତର ଜଗନ୍ନାଥ
ହେଉ ଜ୍ଞାନର ପ୍ରକାଶ
କର ଛଳ ପ୍ରବଞ୍ଚନା ଲୋପ ।