ନିଃସଙ୍ଗ ମୁହୂର୍ତ୍ତ
ନିଃସଙ୍ଗ ମୁହୂର୍ତ୍ତ
ବେଳେବେଳେ କାହିଁପାଇଁ
ଇଛା ଜାଗେ ଏଇ ମନେ
ନିରୋଳାରେ ମନଖୋଲି
କାନ୍ଦିବାକୁ ଉଚ୍ଚସ୍ୱନେ ।
ଯେଉଁଠାରେ କାନ୍ଦିବାର
କାରଣ ପଚାରିବାକୁ
କେହି ନଥିବେ ପାଖରେ
ସେ ଲୁହକୁ ପୋଛିବାକୁ ।
ଛାତି ତଳେ ଚାପି ହୋଇ
ରହିଥିବା କଷ୍ଟ ସବୁ
ନିର୍ବିଘ୍ନରେ ନିକାଂଚନେ
ଛାଡିଦ୍ୟନ୍ତି ଶୁନ୍ୟତାକୁ ।
ମାଗନ୍ତି କୈଫୟତ ତାକୁ
ଗୋଟି ଗୋଟି ଲୁହେଭାଷୀ
ପ୍ରତିଧ୍ୱନି କି ଦିଅନ୍ତା
ସେ ନିର୍ଜନ ଶୁନ୍ୟ|କାଶୀ ।
ଅମାନିଆ ଅଶ୍ରୁମାନେ
ଗଲେ ତୁହା ତୁହା ବର୍ଷି
ବିଷାଦ ପାହାଡୁ କିଛି
ପଥର ପଡନ୍ତା ଖସି ।
ହାଲୁକା ଲାଗନ୍ତା ହୃଦ
ଅନ୍ତତଃ କିଛି ଦିନକୁ
ଆସନ୍ତା କି ଶାନ୍ତି ନିଦ୍ରା
ଦୁର୍ବିସହ ଜୀବନକୁ ।
ଆଖି କୋଣ ଲୁଚା ଅଶ୍ରୁ
ହୃଦ କୋଣ ଲୁଚା ବ୍ୟଥା
ମହଣ ମହଣ ଭାରି
ଲାଗେ ଛୋଟ ହୃଦୟଟା ।
ବନ ପୋଡ଼ିଗଲେ ସିନା
ଜାଣନ୍ତି ସରବ ଜନେ
କୁହୁଳି କୁହୁଳି ଜଳେ
ମନ, ନ ଜାଣଇ ଆନେ ।
ଦୁଃଖ ପ୍ରିୟ ପରିଜନ,
ସୁଖ ସୁଦୂର ଅତିଥି
ଇଛା ହେଲେ ବୁଲି ଆସେ
କେବେ, ନ ଜଣାଇ ତିଥି ।
ପଥୁରିଆ ଦୁଃଖ ପରବତ
ଡରାଏ ଜୀବନ
ଅସମାହିତ ଅଙ୍କ ଏ
ଜୀବନ ଜ୍ୟାମିତି ସ୍ଵନ ।
ହେଲେ କାଳ ଲୁହଗୁଡା,
ମାୟାବୀ ହେମ ହରିଣୀ
କେବେ ଦୃଶ୍ୟମାନ ହୁଏ
କେବେ ରୁହେ ଆଖି କୋଣୀ ।
ବିଦଗ୍ଧ କରଇ ମନ
ଦୁଃସହ ଲାଗଇ ପ୍ରାଣ
ପାରେ ନାହିଁ କହି କା'ରେ
ନାହିଁ ସହେ ଏ ଜୀବନ ।