ମୂର୍ତ୍ତି ଭସାଣି
ମୂର୍ତ୍ତି ଭସାଣି
ବିଦାୟ ମେଲାଣି ଦିଅ ଗୋ ମିତଣୀ
ଆସିଛି ଭସାଣି ବେଳା
ଷୋଳ ପୂଜା ସାରି ମାତା ଯାଉଛନ୍ତି
ଆଉ ନକର ଗୋ ହେଳା ।
ମାତା ଆଗମନେ ଆନନ୍ଦିତ ମନେ
ବିତିଲା ପନ୍ଦର ଦିନ
କେତେ ସ୍ଥାନେ ମାତା ପୂଜିତେ ସନ୍ତୋଷ
କରିଲେ ଭକତ ଗଣ ।
କିଏ ବୋଲେ ଦୁର୍ଗା କିଏ ବୋଲେ ସ୍ବାଧୀ
କିଏ ପୁଣି ବୋଲେ ସତୀ
ସକଳ ତୁଣ୍ଡରୁ ଏକଇ ବଚନ
ମାତା ଯେ ସକଳ ଶକ୍ତି ।
ଦଶହରା ପାଇଁ କେତେ ସଜ୍ଜ ସଜ୍ଜା
ନବ ବସ୍ତ୍ର ଖିରି ପୁରି
ସବୁ କିଛି ପରେ ବିଦାୟ ମେଲାଣି
ଆସିଛି ମେଢ଼କୁ ଧରି ।
ମଣ୍ଡପରୁ ମୂର୍ତ୍ତି ରଥରେ ଚଢ଼ିଲା
ବାଜିଲା ମୃଦଙ୍ଗ ଘଣ୍ଟା
ହରିବୋଲ ସଙ୍ଗେ ହୁଳହୁଳି ପଡେ
ଭକତେ ଭିଡିଲେ ଅଣ୍ଟା ।
ପାର୍ବତୀ ନନ୍ଦନ ଯଶୋଦା ନନ୍ଦନ
ଏକ ଏକ ଗଲେ ରଥେ
ବ୍ରହ୍ମା ହର ପୁଣି ଲକ୍ଷ୍ମୀ ସରସ୍ଵତୀ
ଆସିଲେ ମେଲାଣି ପଥେ ।
ନୃତ୍ୟ ରତେ ଭକ୍ତ ଆଗ ପଛ ହୋଇ
ଚଳନ୍ତି ମାତାଙ୍କ ସଙ୍ଗେ
ଆଲୋକ ମାଳାରେ ଧରଣୀ ପୁଲ୍ଲକେ
ଝଲସି ରଙ୍ଗ ବିରଙ୍ଗେ ।
ତଟିନୀର ଘାଟ କିବା ସରକୂଳ
ଉପଯୁକ୍ତ ସ୍ଥାନ ଦେଖି
ନୟନ ପାଣିରେ ଭସାଇଲେ ମାତା
ଭକ୍ତି ଭାବ ହୃଦେ ରଖି ।
ଭକତ ମୁଖରୁ ଝରି ପଡୁ ଥାଏ
ଆଗାମୀ ବରଷ ଆସ
ଦୁଃଖ କଷ୍ଟ ନାଶି ଜଗତ କଲ୍ୟାଣେ
ମଣ୍ଡପେ ମଣ୍ଡପେ ବସ ।
କର ଯୋଡ଼ି ଡାକେ ଦୁଃଖିନୀ ପ୍ରଭାତୀ
ବଞ୍ଚି ଥିଲେ ହେବ ଦେଖା
ତୋର ନାମ ଜପି ଦିନ ବିତି ଯାଉ
ତୁହି କର ଭକ୍ତେ ରକ୍ଷା ।
