STORYMIRROR

Anam Charan Sahoo

Classics

2  

Anam Charan Sahoo

Classics

ତାଜା ସ୍ମୃତି

ତାଜା ସ୍ମୃତି

1 min
294

କେତେ ଉପବାସ ଦେବପୂଜା,ବ୍ରତ

କରି, ମୋର ପିତାମାତା

ଧବଳେଶ୍ବରଙ୍କ କୃପାରୁ ଲଭିଲେ

କୋଳେ ତିନି ସୁତ,ସୁତା।


ପ୍ରଥମେ ଜନମ ଲଭିଲି ଅଧମ

ପାଳିଲେ ଆନନ୍ଦେ ମୋତେ

ପାଠ ପଢାଇଲେ ମଣିଷ କରିବେ

ଖୁଆଇ ପିଆଇ କେତେ।


ଥିଲା ମାନସିକ ବଡ ହେଲେ ପୁଅ

ଧବଳେଶ୍ବରଙ୍କ ପାଶେ

ଲଣ୍ଡିତ ମସ୍ତକ କରିବେ ତାହାର

ଆଶୀର୍ବାଦ ଫଳ ଆଶେ।


ସେହି ଦିନ ଯେବେ ଆସିଲା ହରଷେ

ଭୋଳା ବାବା ଚିନ୍ତି ମନେ

ସାଥେ ନେଇ ମୋତେ ଯାତ୍ରା ଆରମ୍ଭିଲେ

ଭକତିର ମଧୁବନେ।


ମହାନଦୀ ତୀର ସୁରମ୍ୟ ମନ୍ଦିର

ବେନି ପାଶେ ନଦୀ ଧାର

ଭକତ ଅଧିରେ ଆସନ୍ତି ସେଠାରେ

ବଡ ଓଷା କାର୍ତ୍ତିକର।


ପ୍ରକୃତିର ଶୋଭା ବାଳ ସୂର୍ଯ୍ୟ ଆଭା

ଦିଶେ ବଡ଼ ମନୋହର

ତୁଣ୍ଡେ ସଭିଙ୍କର ପଞ୍ଚାକ୍ଷର ମନ୍ତ୍ର

ଶିବ ମହିମା ଅପାର।


ପିତାମାତା ସଙ୍ଗେ ଦେଖି ନାନା ରଙ୍ଗେ

ଦେବାଧିଦେବଙ୍କ ରୂପ

ଜୀବନ ମୋହର ଧନ୍ୟ ହେଲା ପୁଣ

ତନୁରୁ ଛାଡ଼ିଲା ପାପ।


ତାଙ୍କ ଆଶିଷର ସେ ଅମୀୟ ଝର

ଏବେବି ଯାଉଛି ଝରି

ନଦୀ ଜଳ ସମ ସମୟର ସ୍ରୋତ

ନ ଆସେ ଆଉତ ଫେରି।


ସେହି ମୁହୂର୍ତ୍ତର ସ୍ମୃତି ମଧୁ ଝର

ଅଭୁଲା ଅଟେ ମୋ ପାଇଁ

ପରିବାର ସାଥେ ଆନନ୍ଦ ସାଉଁଟେ

ଧନ୍ୟ ହେ ଜଗତ ସାଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics