ଶ୍ରାଦ୍ଧ ବେଶ
ଶ୍ରାଦ୍ଧ ବେଶ
ମାନବୀୟ ଲୀଳା କର ହେ ଠାକୁରେ
ଶିଖାଅ ମାନବେ ରୀତି ଓ ନୀତି
ପିତୃ ପୁରୁଷ ଙ୍କ ଦୀପଦାନ ପରା
ଆମ ସଂସ୍କୃତିର ଅତୁଟ ରୀତି ।
ତିନି ଦିନ ଧରି କର ଦୀପଦାନ
ଚାରିଯୁଗ ପାଇଁ ହେ ଜଗନ୍ନାଥ
ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ ରୁ ଯେ
ପ୍ରତିପଦା ଦିନ ହୁଅଇ ଅନ୍ତ ।
ସମ୍ପର୍କ ସୂତ୍ରକୁ ନିଜେ ଶକ୍ତ କରି
ଦୁନିଆକୁ ଦିଅ ଅପୂର୍ବ ବାର୍ତ୍ତା
ଦେବ ଦୀପାବଳି ନାମେ ଖ୍ୟାତ ପରା
ପିତୃ ପୁରୁଷଙ୍କ ଶ୍ରାଦ୍ଧ ବାରତା ।
ସଂସ୍କୃତିର ଧରୋହର ଜଗନ୍ନାଥ
ଅପୂର୍ବ ତୁମର ପୁଷ୍ଟ ଆଦର୍ଶ
ପିତୃ ପୁରୁଷଙ୍କ ଶ୍ରଦ୍ଧା ର ତର୍ପଣ
ତୁମେ ତ ଠାକୁରେ ଶିଖାଇ ଅଛ।
ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ ଦିନ
ଅଦିତି କଶ୍ୟପ ଶ୍ରଦ୍ଧାର ଶ୍ରାଦ୍ଧ
ସତ୍ୟ ଯୁଗ କଥା ମନେ ପକାଅ ହେ
କଳା ଠାକୁର ମୋ ଯୁଗପୁରୁଷ ।
ଅମାବାସ୍ୟା ଦିନ ତ୍ରେତୟା ର କଥା
ଦଶରଥ ତିନି ମାତାଙ୍କ ଶ୍ରାଦ୍ଧ
ରାମ ଅବତାର ବତାଏ ଯେ ମାର୍ଗ
ଜୀବନରେ କିବା କରିବା ଶୁଦ୍ଧ ।
ପ୍ରତିପଦା ଦିନ ଦ୍ଵାପର କଳିର
ନନ୍ଦ, ବସୁଦେବ, ଦେବୀ ଯଶୋଦା
ଦେବକୀ ,ରୋହିଣୀ ଶ୍ରାଦ୍ଧ ଦିଅ ପ୍ରଭୁ
ଇନ୍ଦ୍ରଦ୍ୟୁମ୍ନ ପୁଣି ଗୁଣ୍ଡିଚା ମାଆ ।
ନାଗପୁରୀ ଶାଢୀ ଚାଦରେ ସଜ୍ଜିତ
ଶ୍ଵେତ ବସ୍ତ୍ର ଆହା କି ଶୋଭାବନ
ସ୍ୱର୍ଣ୍ଣ ଅଳଙ୍କାର ନଳୀଭୁଜ ପୁଣି
ମସ୍ତକରେ ଶିରୀକପଡ଼ା ପୁଣ ।
ହରିଡା ମାଳିରେ ଗଳା ଶ୍ରୀ ମଣ୍ଡନ
ଅଣ୍ଟାରେ ଲଗାଇ କମର ପଟି
କି ସୁନ୍ଦର ଆହା ଶ୍ରାଦ୍ଧ ବେଶ ପ୍ରଭୁ
ମନରେ ଉତୁରେ ଶାଶ୍ଵତ ଶାନ୍ତି ।
ସନ୍ଧ୍ୟା ଧୂପ ପରେ ଶ୍ରାଦ୍ଧର ଆରମ୍ଭ
ରତ୍ନ ବେଦୀ ତଳେ ରୀତ ନୀତିରେ
ଆଲୋକ ମାଳାରେ ମନ୍ଦିର ଝଲସେ
ସ୍ଵର୍ଣ୍ଣିମ କାନ୍ତି ଯେ ବିସ୍ତାରୁଥାଏ ।
ସ୍ଵତନ୍ତ୍ର ରୀତି ତ ଅରୁଆ ଚାଉଳ
ରମ୍ଭା ବୃକ୍ଷ ଅଙ୍କା ହୋଇ ଯେ ଥାଏ
ଜନଶୃତି ଅଛି ସେଇ ଚାଉଳ ଯେ
ବନ୍ଧ୍ୟା ଦୋଷ ପରା ନିବାରି ଥାଏ ।
ମଦନ ମୋହନ ଚଳନ୍ତି ପ୍ରତିମା
ସଙ୍ଗେ ଥାଆନ୍ତି ଶ୍ରୀଦେଦୀ ଭୂଦେବୀ
ଜଗନ୍ନାଥ ବଲ୍ଲଭ କୁ ଯେ ଯାଆନ୍ତି
ବିମାନେ ବସିଣ ପ୍ରଭୁ ମୁରାରୀ ।
ଶ୍ରାଦ୍ଧ ନୀତି ସାରି ଫେରନ୍ତି ମନ୍ଦିର
ତ୍ରିସନ୍ଧ୍ୟା ଦୀପ ଯେ କି ମନୋରମ
ତିନି ଠାକୁର ଙ୍କ ଅପୂର୍ବ ମୂରତି
ଦେଖା ଯାଉଅଛି କି ଅନୁପମ ।
ଜଗନ୍ନାଥଙ୍କର ଶ୍ଵେତ ବସ୍ତ୍ର ସଙ୍ଗେ
ହଳଦିଆ ଧଡି କି ଶୋଭାବନ
ବଳଭଦ୍ରଙ୍କର କଳା ଧଡ଼ି ଶାଢୀ
ଦେଖିଲେ ନୟନ ହୁଅଇ ଧନ୍ୟ ।
ସୁଭଦ୍ରା ଭଉଣୀ ଶ୍ଵେତ ସଙ୍ଗେ ନାଲି
ହଳଦୀ ମୁଖୀଙ୍କ ଶୋଭା ଅପୂର୍ବ
ଚର୍ମଚକ୍ଷୁ ଥରେ ଦର୍ଶନ ଦର୍ଶନ କରିଲେ
ପାପ ତାପ ନାଶେ ଏଇ ଜନ୍ମର ।
ଯୁଗବତାରୀ ହେ ବେଶରେ ବେଶରେ
ଜୀବନକୁ ଦିଅ ତତ୍ତ୍ଵ ପରଶି
ଶ୍ରୀମନ୍ଦିରେ ବସି ମାନବୀୟ ଲୀଳା
କରୁଛ ତୁମେ ହେ ଦାରୁ ଗୋସାଇଁ ।
ସ୍ୱତନ୍ତ୍ର ତୁମର ସଂସ୍କୃତିର ଧାରା
ସ୍ଵତନ୍ତ୍ର ଅଟଇ ଯେ ପରଂପରା
ରୀତିରେ ନୀତିରେ ଚାରିଯୁଗ କଥା
ଅଦ୍ଭୁତ ତୁମର ବିଚାର ଧାରା ।
କେବେ ଭକତର ପିତା ରୂପେ ଉଭା
କେବେ ଅବା ସଖା କେବେ ତ ସଖୀ
କେବେ ପୁଣି ପୁତ୍ର କେବେ ଅବା ମାତା
ଭାବମୟ ତୁମେ ଭାବ ବାରିଧି ।
ଶ୍ରଦ୍ଧାର ଶ୍ରାଦ୍ଧରେ ତୁମେ ବାହାରିଛ
ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଯେ ଦିଅ
ଦେବ ଦୀପାବଳି ନାମେ ଖ୍ୟାତ ପରା
ଦୀପ ଜାଳି ଶ୍ରଦ୍ଧା ପରଶି ଯାଅ ।
ଦେବ ଦୀପାବଳୀ ଶ୍ରୀମନ୍ଦିରେ ହୁଏ
ଲୋକ ଦୀପାବଳି ସମାଜେ ହୁଏ
ତୁମ ପରମ୍ପରା ସଙ୍ଗେ ଏ ଦୁନିଆ
ଜଡିତ ରହିଛି ସର୍ବ କାଳରେ ।
ଦେବ ଦୀପାବଳୀ ଅପୂର୍ବ ତିଥିରେ
ନମନ କରୁଛି ବଡ଼ ଠାକୁରେ
ଏ ବିଶ୍ଵକୁ କର ଆଲୋକ ମୟ ହେ
ବିଶ୍ଵ ବାନ୍ଧି ହେଉ ପ୍ରେମ ଶ୍ରଦ୍ଧାରେ ।
