STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ବ୍ରହ୍ମ ଜ୍ଞାନ

ବ୍ରହ୍ମ ଜ୍ଞାନ

2 mins
419

   

ପଞ୍ଚ ଉପାଦାନେ ଗଢ଼ା ଏ ଶରୀର

ଅଟଇ କ୍ଷଣଭଙ୍ଗୁର

ମୁକ୍ତା ନ ଥିବାର ଶାମୁକା ସଦୃଶ

ଆତ୍ମା ନଥିବା ଶରୀର ।

ମରଣାତ୍ମକ ଏ ମଣିଷ ଶରୀର

ଆତ୍ମା ସହିତ ଜଡ଼ିତ

ଶରୀରରୁ ଆତ୍ମା ହୋଇଲେ ଅଲଗା

ଶରୀର ଅବସ୍ଥା ମୃତ।

ଅସ୍ତିତ୍ବ ବଜାୟ ରହିବ ସର୍ବଦା

ଆତ୍ମା ଅବିନାଶୀ ମାତ୍ର

ଶରୀର ନିଜର ହରାଏ ଅସ୍ତିତ୍ଵ

ସ୍ମୃତି ଜୀବନ ଚରିତ୍ର।

ଆତ୍ମାର ଆକାର ନିହାତି ଗୁପତ

ସାକାର ନା ନିରାକାର

ବିକଶିତ ଜ୍ଞାନ ଚକ୍ଷୁ ଆବଶ୍ୟକ

ଅନୁଭବେ ହିଁ ସ୍ବୀକାର।

ବାୟୁ ଦୃଶ୍ୟମାନ ନୁହଁଇ ସମ୍ଭବ

ଶ୍ୱାସ ପ୍ରଶ୍ୱାସେ ଆବାସ

ପୁଷ୍ପ ଗନ୍ଧ ଦୃଶ୍ୟମାନ ଅସମ୍ଭବ

ଅନୁଭବ ହିଁ ଆଭାସ।

କେଉଁଠାରେ ଶକ୍ତି ଅଛି କେତେ ଗୁଣ

କଦାପି ହୁଏନି ଦେଖି

ଶକ୍ତି ଆକଳନ ଜାଣେ ଅନୁଭବୀ

ନିରେଖି ଅବା ପରଖି।

ଆତ୍ମା ହିଁ ଅନନ୍ତ ଅସୀମ ସର୍ବତ୍ର

ଜୀବକୁ କରେ ଜୀବନ୍ତ

ଆତ୍ମା ବିନା ଦେହ ଧୂଳି ସହ ଧୂଳି

ଆତ୍ମା ସର୍ବଦା ଏକାନ୍ତ।

ଅଜର ଅମର ଅନାଦି ଅନନ୍ତ

ବ୍ରହ୍ମ ହିଁ ମୂଳ ଆଧାର

ଅଟଳ ବ୍ରହ୍ମାଣ୍ଡେ ମାତ୍ର ବ୍ରହ୍ମ ସତ୍ୟ

ଅନ୍ୟ ସବୁ ମିଥ୍ୟା ସାର ।

ମୋହ ମାୟା ଜାଲେ ହୋଇ ଛନ୍ଦି

ମିଛ ମାୟାର ସଂସାରେ

ଚିନ୍ତା ନାହିଁ ବ୍ରହ୍ମ ଜ୍ଞାନ ଆହରଣେ

ମନ ଭ୍ରମୁଛି ମିଥ୍ୟାରେ

ନଭମଣ୍ଡଳରେ ଏକ ହିଁ ଆଦିତ୍ୟ

କିରଣ ସମ୍ଭବ ସର୍ବତ୍ର।

ସକଳ ଘଟର ସୃଷ୍ଟି ପ୍ରତିଛବି

ପ୍ରତିନିଧିତ୍ଵ ସୂର୍ଯ୍ୟର

ବ୍ରହ୍ମାଣ୍ଡରେ ଏକ ବ୍ରହ୍ମ ବିଦ୍ୟମାନ

ଜୀବାତ୍ମା ହିଁ ଭିନ୍ନ ଭିନ୍ନ

ସ୍ରୋତ ଓ ଗନ୍ତବ୍ୟ ସବୁ କିଛି ବ୍ରହ୍ମ

ବ୍ରହ୍ମ ସର୍ବ ବିଦ୍ୟମାନ।

ଆତ୍ମା ନଷ୍ଟ ପାଇଁ ଅସ୍ତ୍ର ଶସ୍ତ୍ର ବ୍ୟର୍ଥ

ବରଂ ମନ ହୁଏ ଭ୍ରଷ୍ଟ

ଅଗଣିତ ସୂର୍ଯ୍ୟ ଅନଳ ବର୍ଷାରେ

ଆତ୍ମା ହେବ ନାହିଁ ନଷ୍ଟ।

କ୍ରମାଗତ ଜୀବନ-ମୃତ୍ୟୁର ଚକ୍ର

ଆତ୍ମା କରେ ଅନୁଭବ

ଯୋନିରୁ ଯୋନି ହେଲେ ହେଁ ପରିକ୍ରମା

ଆତ୍ମାର ଅଛି ସ୍ବଭାବ।

ଆତ୍ମାର ବି ନାହିଁ ଆରମ୍ଭ ଓ ଅନ୍ତ

ମନରେ କିମ୍ପାଇ ଗର୍ବ

ଆତ୍ମା ଯଦି ଆମର ନୁହେଁ ନିଜର

କାହିଁକି ମନରେ ଦମ୍ଭ ?

ଆତ୍ମା ବିନା ଦୁନିଆରେ ସବୁ ତୁଚ୍ଛ

ଆତ୍ମା କେବଳ ବ୍ରହ୍ମର

ହୃଦୟଙ୍ଗମ ହେଲେ ହିଁ ଏହି ଭାବ

ରାସ୍ତା ଖୋଲିବ ମୁକ୍ତିର ।

ଦୁନିଆରେ ଭ୍ରମୁଥିବା ଆତ୍ମାଙ୍କର

ବ୍ରହ୍ମ ଶେଷ ସମର୍ଥନ

ପ୍ରତ୍ୟେକ ନଦନଦୀ ଯେଉଁ ଭାବେ

ସମୁଦ୍ରେ ହୁଏ ବିଲୀନ।

ବ୍ରହ୍ମ ପ୍ରାପ୍ତି ଲକ୍ଷ୍ୟ ହାସଲରେ ଅଛି

ପଥ ସଦା ସର୍ବୋତ୍ତମ

ଜ୍ଞାନ ଭକ୍ତି କର୍ମ-ଯୋଗ ଆବଶ୍ୟକ

ଏକମାତ୍ର ହିଁ ମାଧ୍ୟମ।

ଗୀତା ମାଧ୍ୟମରେ ଏହି ବାଣୀ ବ୍ୟକ୍ତ

ଭଗବାନଙ୍କ ମୁଖରେ

ଭେଦ ଓ ରହସ୍ୟ ବୁଝିଗଲେ ପ୍ରାପ୍ତ

ମୁକ୍ତିପଥ ସହଜରେ  ।                                 

ଭିନ୍ନ ନୁହେଁ ସର୍ବେ ବ୍ରହ୍ମଙ୍କର ରୂପ

ସଭିଙ୍କ ଭାବନା ଭିନ୍ନ

ଉଚିତ୍ ମାର୍ଗ ଚୟନ ବଳେ ପ୍ରାପ୍ତ

ମୁକ୍ତି ମୋକ୍ଷ ବ୍ରହ୍ମ ଜ୍ଞାନ।

ଜ୍ଞାନ ସହ ଚିନ୍ତନ ମନନ ଧ୍ୟାନ

ଅଟେ ନିହାତି ଜରୁରୀ

ସବୁ କିଛି ଭୁଲି ପ୍ରଭୁ ଗୁଣ ଗାନ

ଏକମାତ୍ର ଉପକାରୀ।

ଅର୍ପଣ ହେଉ ପ୍ରତି କର୍ମ ପ୍ରଭୁଙ୍କୁ

ଫଳ ବି ହେଉ ପ୍ରସାଦ

ପ୍ରତିକୂଳ ପରିସ୍ଥିତି ଉପୁଜିଲେ

ମନେ ନହେଉ ବିଷାଦ।

ସଂସାରର ମୋହ ତ୍ୟାଗ ସହ ଧ୍ୟାନ                   

ହେଉ ବ୍ରହ୍ମପ୍ରାପ୍ତି ପ୍ରତି

ଏହି ସଂସାରରେ ମାୟା ଓ ଭ୍ରମ ର

ଅଛି ସମ୍ପୂର୍ଣ୍ଣ ରାଜୁତି ।                    

ଅଜ୍ଞତା ସକଳ ଦୁଃଖର କାରଣ

ସୁଖର କାରଣ ଜ୍ଞାନ

ସବୁ ଜ୍ଞାନ ବିଦ୍ୟା ଠାରୁ ଅଟେ ଶ୍ରେଷ୍ଠ

ସଦା ସତ୍ୟ ବ୍ରହ୍ମଜ୍ଞାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract