ମାଣବସା ଗୁରୁବାର
ମାଣବସା ଗୁରୁବାର
ଲକ୍ଷ୍ମୀ ଠାକୁରାଣୀ ବିଷ୍ଣୁଙ୍କ ଘରଣୀ
ମାର୍ଗଶିରେ କରନ୍ତି ବିହାର
ପ୍ରତି ଗୁରୁବାରେ ନିରେଖି ଦେଖନ୍ତି
ଘର ବାହାର ଭିତର।
ହେଲେ ହେଉ କେଉଁ ଚଣ୍ଡାଳୁଣୀ ଘର
ଯଦି ଥାଏ ପରିଷ୍କାର
ଲକ୍ଷ୍ମୀ ଠାକୁରାଣୀ ବିଜେ କରିଥାନ୍ତି
ଯହିଁ ଭକ୍ତି ହିଁ ଅପାର ।
ମାଣବସା ଗୁରୁବାର ଲକ୍ଷ୍ମୀ ପୂଜା
ଅଛି ଯୁଗ ଯୁଗ ଧରି
ଆମ ପରମ୍ପରା ସଂସ୍କୃତି ସହିତ
ପୂଜା ବିଧି ସେହିପରି ।
ପ୍ରତି ଘର ମୁଖ୍ୟ ଦ୍ଵାର ସମ୍ମୁଖରେ
ରଖି ଜଳ ପୂର୍ଣ୍ଣ କୁମ୍ଭ
ଆମ୍ବ ପତ୍ର ତୋଳି ତୋରଣ ଝୁଲାଇ
ଝୋଟି ସହ ପୂଜାରମ୍ଭ ।
ମନରେ ଶ୍ରଦ୍ଧା ଭକ୍ତି ନିଷ୍ଠା ସହିତ
ହୁଏ ପୂଜା ଆରାଧନା
ଗୃହ ମଧ୍ୟେ ଆଧ୍ୟାତ୍ମିକ ପରିବେଶ
ମନାସି ଶୁଭ କାମନା ।
ପ୍ରାୟତଃ ଫଳ ଆଖୁ ମୂଳା କମଳା
ଭୋଗ ହୁଅଇ ଅର୍ପଣ
ଲକ୍ଷ୍ମୀ ପୂଜନ ପ୍ରସାଦ ଗୃହ ମଧ୍ୟେ
କେବଳ ହୁଏ ସେବନ ।
ଗୁରୁବାରେ ଲକ୍ଷ୍ମୀ ପୁରାଣ ପଠନ
ଶ୍ରବଣ ଭକ୍ତିପୂତ ହୃଦେ
ହୁଳହୁଳି ଧ୍ଵନି କରନ୍ତି ଗୃହିଣୀ
ଶୁଭ ମନାସି ଆନନ୍ଦେ ।
ପୁରୁଣା ମାଟି କାନ୍ଥରେ ଝୋଟି ଚିତ୍ର
କହେ ଆମ ପରମ୍ପରା
ମାର୍ଗଶିର ଗୁରୁବାର ଲକ୍ଷ୍ମୀ ପୂଜା
ଝୋଟି ଚିତା ହିଁ ନିଆରା ।
ଝୋଟି ଚିତା ମୁରୁଜ ସହିତ ଚିତ୍ର
ହୁଏ ଘର ଅଗଣାରେ
ଧୂପ ଦୀପ ନୈବେଦ୍ୟ ଅର୍ପଣ ସହ
ପୂଜା ହୁଏ ଭକ୍ତି ଭରେ ।
ଶ୍ରୀୟା ଚଣ୍ଡାଳୁଣୀ ଲିପା ପୋଛା କରି
ଘର ଅଗଣା ଓ ବାରି
ଝୋଟି ଚିତା ରେ ଲକ୍ଷ୍ମୀ ପାଦର ଚିତ୍ର
ଆଙ୍କି ଲକ୍ଷ୍ମୀଙ୍କୁ ସୁମରି ।
ପଦ୍ମ ଫୁଲ ରଖି ପୂର୍ଣ୍ଣ କୁମ୍ଭ କରି
କଲା ଲକ୍ଷ୍ମୀ ଆବାହନ
ପଦ୍ମ ଫୁଲ ଝୋଟି ଚିତା ଦେଖି ଲକ୍ଷ୍ମୀ
ବିଜେ କରିଲେ ବହନ ।
ଆଧୁନିକ ସମାଜରେ ମାଟି କାନ୍ଥ
ପ୍ରାୟ ଉଭେଇ ଗଲାଣି
ଝୋଟି ଚିତା ଚିତ୍ର ତଥାପି ରହିଛି
ଘର ଅଗଣାରେ ପୁଣି ।
ମାଟି କାନ୍ଥ ଥିଲେ ଥାଉ ବା ନ ଥାଉ
ଝୋଟି ଚିତା ଘରେ ହେଉ
ପରିବେଶ ପରିଷ୍କାର ହେବା ସହ
ଲକ୍ଷ୍ମୀ ପୂଜା ହେଉ ଥାଉ ।
ଆଚାରେ ବସତି ଲକ୍ଷ୍ମୀ ଚଞ୍ଚଳା
ମାନ୍ୟତା ଅଛି ସମାଜେ
ସଦାଚାର ,ସତ୍କର୍ମ ,ସତ୍- ଚିନ୍ତନ ରେ
ଲକ୍ଷ୍ମୀ ହୋଇଥାନ୍ତି ବିଜେ ।
ଅତିଥି ସତ୍କାରେ ଲକ୍ଷ୍ମୀଙ୍କର ଖୁସି
ଅତିଥି ଭୋକେ ନ ଫେରୁ
ଲକ୍ଷ୍ମୀଙ୍କ ହୋଇଥାଏ ଅବମାନନା
ଭୋକେ ଫେରିଗଲେ ଘରୁ ।
ଘରର ଘରଣୀ ଲକ୍ଷ୍ମୀଙ୍କର ରୁପ
କଲେ ପୂଜା ସ୍ନେହ ପ୍ରେମେ
ଘର ପ୍ରତି ଲକ୍ଷ୍ମୀ କୃପା ଆପେ
ଶ୍ରଦ୍ଧା ଭକ୍ତି ସତ୍ କର୍ମେ ।
