କାଳକ୍ରମେ ଶିକ୍ଷାଦାନ
କାଳକ୍ରମେ ଶିକ୍ଷାଦାନ
ବର୍ଣ୍ଣାଶ୍ରମ ବ୍ୟବସ୍ଥା ବୈଦିକ ଯୁଗରେ
ରହି ଗୁରୁ ଆଶ୍ରମରେ
ହୁଏ ଶିକ୍ଷାପ୍ରାପ୍ତି ଗୁରୁ ମାଧ୍ୟମରେ
ଗୁରୁକୁଳ ଆଶ୍ରମରେ।
ଶିକ୍ଷା ସହ ଦକ୍ଷତା ହାସଲ ପରେ
ଗୁରୁ ଦକ୍ଷିଣାପୂର୍ବକ
ସମର୍ପଣ ଭାବନା ସହିତ ବିଦାୟ
ଜୀବନ ହୁଅଇ ସାର୍ଥକ।
ଗୁରୁଙ୍କ ଜ୍ଞାନର ବର୍ଣ୍ଣନା କରିବା
ହୁଏ ଶବ୍ଦର ଅଭାବ
ମହାନତାକୁ ଭାଷାରେ କହିବା
ଏତେ ସହଜ ନୋହିବ।
ମା' ପରି ଗୁରୁଙ୍କ ଆସନ ଉଚ୍ଚରେ
ଅଟେ ସବୁଠୁ ମହାନ
ଯଦି ଲୁହା ପରି ହୋଇଥାଏ ଶିଷ୍ୟ
ଗୁରୁ କରନ୍ତି ସୁବର୍ଣ୍ଣ ।
ଗୁରୁଙ୍କ ସକାରାତ୍ମକ ଭାବନାରେ
ଶିଷ୍ୟର ହୁଏ ବିକାଶ
ଗୁରୁଙ୍କ ଜ୍ଞାନର ଶିଖା ବିକାଶରେ
ଅନ୍ଧାର ହୁଏ ବିନାଶ ।
ସଦା ସର୍ବଦା ଗୁରୁଙ୍କ ମୁଖେ ହସ
ହସ ଆଭାସ ସରସ
ତୃଷାର୍ତ୍ତ ଶିଷ୍ୟଙ୍କ ପାଇଁ ଜଳ ପରି
ଅଟେ ଅମୃତ ସଦୃଶ ।
ଗୁରୁଙ୍କ ଭାବନାରେ ସେବା ନିହିତ
ନିଃସ୍ୱାର୍ଥତା ମନୋବୃତ୍ତି
କର୍ତ୍ତବ୍ୟ-ପରାୟଣତା ଅହରହ
ଅତି ପ୍ରିୟ ଶିଷ୍ୟ ପ୍ରତି।
ସମୟର ମୂଲ୍ୟବୋଧ ସହକାରେ
କାର୍ଯ୍ୟ ହୁଏ ନିଷ୍ପାଦନ
ଗୁରୁଙ୍କ ଆଦର୍ଶ ଶିକ୍ଷା ଓ ସଂସ୍କାର
ଶିଷ୍ୟ ପାଇଁ ମୂଲ୍ୟବାନ।
ଶିକ୍ଷାଦାନ ବିଷୟକ ପାଠ୍ୟକ୍ରମ
ସରଳ ଅବା ଜଟିଳ
ଗୁରୁଙ୍କ ସହଜ ଉପାୟ ସୃଷ୍ଟିରେ
ବୁଝିବାକୁ କୌତୁହଳ।
ଗୁରୁଙ୍କ ଅବଦାନ ଅତୁଳନୀୟ
ଦେଶ,ରାଷ୍ଟ୍ର ନିର୍ମାଣରେ
ଅନୁଶାସନର ଶିକ୍ଷା ବି ନିହିତ
ଶ୍ରେଷ୍ଠ ବ୍ୟକ୍ତିତ୍ଵ ସୃଷ୍ଟିରେ ।
ପୁରୁଣା ଗୁରୁ-ଶିଷ୍ୟର ସମ୍ପର୍କ
ରହିଛି ଯୁଗ ଯୁଗରୁ
ଯୁଗ ବଦଳିଲେ ବି ଗୁରୁ ନମସ୍ୟ
ଅଛି ସୃଷ୍ଟି ଆରମ୍ଭରୁ ।
ଗୁରୁଙ୍କର ପଦ ଓ ମର୍ଯ୍ୟାଦା ପ୍ରତି
ଆସ ବିଶ୍ୱାସ ରଖିବା
ସେହି ଗୁରୁଙ୍କ ପୟରେ ଭକ୍ତି ଭରେ
ଆସ ପ୍ରଣାମ କରିବା।
ମୁକ୍ତି ପଥେ ଗୁରୁ ଆଲୋକବର୍ତ୍ତିକା
ଯୁଗ ଯୁଗର ଏ ଉକ୍ତି
ପିତାମାତା ଗୁରୁ ପୁଣି ଗୁରୁଜନ
ଚରଣେ ରହୁ ପ୍ରଣତି।
ଦେବତା ଦେଖିବା ଯଦି ଅସମ୍ଭବ
ଦେଖ ପିତାମାତା ଗୁରୁ
ଚଳନ୍ତି ଜୀବନ୍ତ ଦେବତା ଆମର
ଆମ ପିତାମାତା ଗୁରୁ।
ବ୍ରହ୍ମଜ୍ଞାନ ଆହରଣ ଉଦ୍ଦେଶ୍ୟରେ
ଗୁରୁ ନିହାତି ଜରୁରୀ
ଏଇ ସଂସାର ମୋହ ମାୟାଜାଲରୁ
ଗୁରୁ ହିଁ କରିବେ ପାରି ।
ମୋକ୍ଷ ନିର୍ବାଣ ଓ ଈଶ୍ୱରତ୍ଵ ପ୍ରାପ୍ତି
ଗୁରୁ କୃପାରେ ମିଳିବ
ଏ ଭୌତିକବାଦୀ ଦୁନିଆ ମାୟାରୁ
ଗୁରୁ କୃପା ମୁକ୍ତି ଦେବ।
ଆମର ରାଷ୍ଟ୍ରପତି ରାଧାକ୍ରୀଷ୍ଣନ୍
ଗୁରୁ ଭାବେ ସ୍ମରଣୀୟ
ଗୁରୁଙ୍କୁ ସମ୍ମାନ ଦେବା ଜାଣିଅଛି
ଭାରତ ଓ ଭାରତୀୟ।
ଗୁରୁ ଈଶ୍ୱର ଓ ଗୁରୁ ଗତି ମୁକ୍ତି
ପଥ ପ୍ରଦର୍ଶକ ଏକା
ଦୁର୍ଲଭ ଜୀବନର ମୁକ୍ତି ପଥରେ
ଗୁରୁ ଆଲୋକବର୍ତ୍ତିକା ।
କାଳକ୍ରମେ ଶିକ୍ଷାଦାନର ବ୍ୟବସ୍ଥା
ପରିବର୍ତ୍ତନ ହୋଇଛି
ଆଜିକାଲି ଗୁରୁ ଶିଷ୍ୟର ସମ୍ପର୍କ
ନାମକୁ ମାତ୍ର ରହିଛି।
ଶିକ୍ଷାଦାନ ଆଧୁନିକ ବିଦ୍ୟାଳୟେ
ନାହିଁ ସମାଜ ସଂସ୍କାର
ମାଳ ମାଳ ଶିକ୍ଷାନୁଷ୍ଠାନ ରହିଛି
ଶିକ୍ଷା ନାମରେ ବେପାର।
ଦଣ୍ଡ ମୁକ୍ତ ଅଞ୍ଚଳ ଭାବେ ଘୋଷିତ
ଶିକ୍ଷାଳୟ ପରିବେଶ
ଗୁରୁ-ଶିଷ୍ୟ ସମ୍ପର୍କ ନାମକୁ ମାତ୍ର
ଶିକ୍ଷା ନାମେ ଉପହାସ।
ଅନଲାଇନରେ ଗୁଗୁଲ୍ ହିଁ ଗୁରୁ
ହାତ ପାହାନ୍ତାରେ ଗୁରୁ
ବିଦ୍ୟାଳୟ ଏବେ ହାତର ମୁଠାରେ
ନାହିଁ ଶିଷ୍ୟ ନାହିଁ ଗୁରୁ।
