ଅହିଂସା ପରମ ଧର୍ମ
ଅହିଂସା ପରମ ଧର୍ମ
ହିଂସା ମନୋଭାବ ମଣିଷ ମନରେ
କ୍ରମାନ୍ୱୟରେ ବ୍ୟାପୃତ
ହିଂସା ଈର୍ଷା ଦ୍ୱେଷ ଲୋପ ଅର୍ଥେ
ଅହିଂସା ଉପାୟ ଜାତ ।
ସୃଷ୍ଟି ଆରମ୍ଭରୁ ଏ ମଣିଷ ଜାତି
ଜୀବ ଜନ୍ତୁ ମେଳେ ବାସ
ପଶୁ ପରି ଥିଲା ଶିକାର ସ୍ବଭାବ
ଖାଉଥିଲା କଞ୍ଚା ମାଂସ ।
ସଭ୍ୟତାର କ୍ରମ ବିକାଶ ସହିତ
ସମାଜରେ ବଳୀ ପ୍ରଥା
ଜୀବ ଜନ୍ତୁଙ୍କର ମର ଶରୀରକୁ
ଖାଦ୍ୟ ରୂପରେ ବ୍ୟବସ୍ଥା ।
ପୁରାଣ ପୃଷ୍ଠାରେ ସ୍ଥାନିତ ହୋଇଛି
ହିଂସା ଜନିତ ଘଟଣା
ବେଳେ ବେଳେ ଦେବ ଦାନବ ମଧ୍ୟରେ
ପ୍ରତି ହିଂସା ପରାୟଣା ।
ଇତିହାସ ଆମ ସାକ୍ଷୀ ରହିଅଛି
ଯୁଦ୍ଧ ବିଭୀଷିକା କଥା
ଧର୍ମ ରକ୍ଷା ପାଇଁ ହେଉଥିଲା ଯୁଦ୍ଧ
ନ ଥିଲା ଅହିଂସା କଥା ।
ଦେବୀ ଆରାଧନା ନାମେ ଜୀବଜନ୍ତୁ
ବଳୀ ରୂପେ ସମର୍ପଣ
କୌରବ ପାଣ୍ତବ କୁରୁକ୍ଷେତ୍ରେ ଯୁଦ୍ଧ
ହତ ହେଲା କେତେ ପ୍ରାଣ ।
ଅହିଂସା ଉପାୟ ଅବଲମ୍ବନରେ
ଯେବେ କାର୍ଯ୍ୟ ସମାଧାନ
ହିଂସା ମନୋଭାବ ପରିତ୍ୟାଗ ପାଇଁ
ମହତ ବାଣୀ ଆହ୍ବାନ ।
ରାଜତନ୍ତ୍ର ଅବା ହେଉ ଗଣତନ୍ତ୍ର
ଶାସକ ଆସନ ପାଇଁ
ଅହିଂସା ନାମରେ ହିଂସା କାରବାର
ହେଉଅଛି ରହି ରହି ।
ଅଶୋକଙ୍କ ଠାରୁ ଆଲେକଜାଣ୍ଡାର
କେତେ କେତେ ଯୋଦ୍ଧା ବୀର
ହିଂସା ଯୁଦ୍ଧ ସହ ରାଜ୍ୟ ଜୟ କରି
ରଚିଥିଲେ ହାହାକାର ।
ଅହିଂସା ଉପାୟ ବଳରେ ସ୍ଵାଧୀନ
ହୋଇଛି ଭାରତ ଦେଶ
ହିଂସା ଈର୍ଷା କିନ୍ତୁ ଅଛି ସମାଜରେ
ହେଉଅଛି ପ୍ରାଣ ନାଶ ।
ଅହିଂସା ପରମ ଧର୍ମ ନୀତି ବାଣୀ
କେବଳ ମୁଖରେ ରହିଛି
ପ୍ରାୟ ଦେଶେ ଦେଶେ ଯୁଦ୍ଧ ହେଉଅଛି
ହିଂସା ରାଜୁତି କରୁଛି ।
ସବୁରି ମୁଖରେ ଅହିଂସାର ବାଣୀ
ଶୁଣିଲେ ମନ ସନ୍ତୋଷ
ଖାଦକର ଖାଦ୍ୟ ମଣିଷର ଖାଦ୍ୟ
ହେଉଛି ମାଛ ମାଉଁସ ।
ମଣିଷର ଜିହ୍ୱା ଲାଳସା ନିମନ୍ତେ
ନିତି ଜୀବ ହତ୍ୟା ହୁଏ
ପଶୁ ମାଂସ ଖାଇ ମଣିଷ ପ୍ରବୃତ୍ତି
ପଶୁ ପ୍ରାୟ ହୋଇ ଥାଏ ।
ଯେଉଁ ଦିନ ଜୀବ ହତ୍ୟା ହେବ ନାହିଁ
ସେଦିନ ହେବ ଅହିଂସା
ଜୀବ ହତ୍ୟା କରି ମିଛେ ମିଛେ କିଆଁ
ଭାଷଣରେ ହିଁ ଅହିଂସା ।
