ଜୀବନ ନାଟକ
ଜୀବନ ନାଟକ
ଜୀବନ ନାଟକ ଏକ ଅଚାନକ
କିଏ କାହା ଅଭିନୟେ
ଅଦୃଶ୍ୟ ଦର୍ଶକ ଓ ନିରିଦେଶକ
କିଏ ରଚେ କିଏ ଗାଏ ।
ଏ ରଙ୍ଗ ଭୂମିତ ହୁଏରେ ସଜିତ
ନାଟକ ପ୍ରକଟ ପାଇଁ
ଚାନ୍ଦ ଓ ସୁରୁଯ ଆଲୋକରେ ସଜ
ସମୟ ସଙ୍ଗୀତ ନେଇ ।
ସମୟ ଚକରେ ସୁଖ ସଂଳାପରେ
ଚରିତ୍ରଟି ତୋଷ ହୁଏ
ଦରଦ ରଜ୍ଜୁରେ କେତେ ବିଳାପରେ
କାଳ ଚକ୍ର ଗଡି଼ ଯାଏ ।
ପ୍ରଶଂସା କାଳରେ ଅଦୃଶ୍ୟ ତାଳିରେ
ପାତ୍ର ମନ ଉଠେ ହସି
ନିନ୍ଦାର ବେଳରେ ଅନ୍ଧାର ଗାଳିରେ
ଚିତ୍ତ ଥକି ପଡେ଼ ବସି ।
ସତ୍ୟ,ଧର୍ମ ନ୍ୟାୟ ନେଇ ଅଭିନୟ
ଏଠି ହୋଇଥାଏ ସ୍ଥିର
ଶୁଦ୍ଧ ଚିତ୍ତେ ଯିଏ ସତ୍ୟ ପଥ ପାଏ
ସିଏ ଅଭିନେତା ବୀର ।
ପାତ୍ର ପ୍ରତିବିମ୍ଵ ନାଟକ ପ୍ରାରମ୍ଭ
ଜନମ କ୍ଷଣରୁ ରହେ
ନଥାଏ ବିରତି ଆହେ ମୁଢ଼ ମତି
ମରଣ ସବାରୀ ଯାଏ ।