ଉପହାର
ଉପହାର
ହୁଅ ଆୟୁଷ୍ମତୀ ପୁଣି ଭାଗ୍ୟବତୀ
ଶତ ଜନମ ସକାଶେ
ପୁଷ୍ପ ଚଲାପଥେ ବରଷୁ ଆଗତେ
ଯେହ୍ନେ ସଦା ଓଠ ହସେ ।
ସାତ ଦିନ ସହ ବର୍ଷ ବାର ମାସ
ଛଅ ଋତୁ କହୁଥାନ୍ତି
ସଦା ତୁମ ସହ ସହାୟ ହୋଇଣ
ସର୍ବାଦିଷ୍ଟ ହରୁଥାନ୍ତି ।
ଦେବତା କିନ୍ନର ଗନ୍ଧର୍ବ ଓ ନର
ସକଳ ଆଶିଷ ଘେନି
ମଙ୍ଗଳମୟୀ ଓ ଆୟୁଷ୍ମତୀ ହୋଇ
କଲ୍ୟାଣୀ ହୁଅ ଭଉଣୀ ।
ବସନ୍ତ କହଇ ତୋ ହସକୁ ନେଇ
ବୋହିବ ସୌରଭ ହୋଇ
ଫୁଲ କହୁଥାଇ ତୋରି ସାଥି ହେଇ
ତା' ଘରେ ରହିବ ବୋଲି ।
କୋଇଲି କହଇ ତୋ ମିଠା ଭାଷାକୁ
ଥରେ ଶିଖିନେବ ବୋଲି
ମୟୂର ବୋଲଇ ତୋ ନୂପୁର ନେଇ
ବର୍ଷାରେ ନାଚିବ ଖାଲି ।
ମଳୟ ପବନ ତୋ ସ୍ପର୍ଶେ ମୋହିତ
ଫୁଲ ପାଖୁଡାକୁ ଛାଡି
କହଇ ତୋ ସାଥେ ସଙ୍ଗାତ ବସିବ
ହାତ ଧରି ଉଡି ଉଡି।
ସକଳ ବିଶ୍ୱର ଆଶିଷ ପାଇଛ
ଜଗତର କନ୍ୟା ହୋଇ
ବିଶ୍ୱବ୍ରହ୍ମାଣ୍ଡ ର ମାନସ କନିଆ
ପରମ ସୌଭାଗ୍ୟ ନେଇ ।
ଶତ ବରଷରେ ଶହ ଫଗୁଣରେ
ଆୟୁଷ୍ମତୀ ହୋଇଥିବ
ନିର୍ବିଘ୍ନେ ଜୀବନ ହସି ରହୁ ମନ
ଦେଖି ହରଷୁ ଏ ଭବ ।
କବି କଲମର ଆଷିଶ ଘେନିଛ
କବିତା ମାଧ୍ୟମ ହୋଇ
କବି ଗଙ୍ଗା ସ୍ରୋତେ ବହୁ ତୋ ଜୀବନ
ସଂଗୀତ ରାଗିଣୀ ନେଇ ।
ଟଙ୍କା ଉପହାର ଦେଇଣ ପାରଇ
ଦୁଃଖି କଳାକାର ମୁହିଁ
ମନର ଖାତାରେ ଶ୍ରୀକାନ୍ତ ନାମରେ
କବିତାଟି ଟିପ ନେଇ ।