ଶୀତରାଣୀ
ଶୀତରାଣୀ


ଶୀତ ରାଣୀ ତୁ ସତେ କେତେ ଶୀତୁଆ ,
ଶୀତଳ ପବନେ ନାଚି ନାଚି ଗାଇ
ମନ କରି ଦେଉ ଗୀତୁଆ ।
ତୋ ସବୁଜ ଶାଢୀରେ କାକର ବିନ୍ଦୁର
ଚିକ୍ ଚିକ୍ ଝାଲେରୀ,
ତୋ ଦେହରେ ଧାନ କ୍ଷେତର ବାସେ
ମନ ଯାଏ କୁଲୁରି ।
ତୋ ପ୍ରେମେ ଗୀତ ଗାଇ ମନ ଆକାଶରେ ଉଡେ,
ବଣ ଭୋଜି କରିବାକୁ ନଦୀ ଜଙ୍ଗଲ ପାହାଡେ ।
ତୋ ପ୍ରେମେ ପଡି ମୁଁ ଏବେ
ପ୍ରତ୍ୟୁଷରୁ ଉଠି ଯାଏ,
ଭଗବତ ପ୍ରେମେ ମଜ୍ଜି ମନ୍ଦିରକୁ ଧାଏଁ ।
କାର୍ତ୍ତିକ ମାସରେ ଯେତେ ଧର୍ମ କର୍ମ କରେ,
ରାଧାରାଣୀ ସୀତାରାମ ଧ୍ୟାୟୀ
ମନେ ଧର୍ମ ପ୍ରେମ ଭରେ ।
ସାତ୍ତ୍ଵିକ ଆହାରେ ହବିଷ ବ୍ରତକୁ ଆଚରି,
ମନର ଆବିଳତା, କ୍ରୋଧ, ହିଂସାକୁ ପାଶୋରି ।
ଦୟା,କ୍ଷମା,କରୁଣା ଆଦି ମାନବୀୟ ଧର୍ମ,
କାର୍ତ୍ତିକ ବ୍ରତରେ ଆପଣାଇ କରୁଥାଏ କର୍ମ ।
ଧର୍ମ ଅର୍ଜନେ ପାପ ବିନାଶନେ
ପବିତ୍ର କାର୍ତ୍ତିକ ମାସ,
ଶୀତ ରାଣୀ ପାଶେ ବସି
ଦୂର କରେ ମୋ ମନ କଳୁଷ।
ମାର୍ଗଶିର ମାସେ ମହାଲକ୍ଷ୍ମୀ ସାଜୁ,
ଘରେ ଘରେ ପ୍ରବେଶି ତୁ ଧାନ ଧନ ଅର୍ଜୁ ।
p>
ପିଠା ପଣା ଭରି ଦେଇ ମହ ମହ ବାସୁ ,
ମହାଲକ୍ଷ୍ମୀଙ୍କ ପୂଜନେ ଜନମନ ତୋଷୁ ।
କେତେ ଯେ ପର୍ବ ପର୍ବାଣୀ ବିବାହ ଉତ୍ସବ,
ସମାପନ କରିଯାଉ ଦେଇ ସୁଖ ଅନୁଭବ ।
ପୌଷ ଓ ମାଘରେ ଶୀତରାଣୀ ମତୁଆଲା ସାଜୁ ,
ହାଡ ଭଙ୍ଗା ଶୀତେ ଦେହ ଥରାଇ
ବୃଦ୍ଧ ବୃଦ୍ଧାଙ୍କୁ ବସାଇ ତରାଜୁ ।
ମାପୁଥାଉ କାହାର କେତେ ସହିବାର ଶକ୍ତି,
ଥଣ୍ଡା ବରଫ ତୁଷାର ବର୍ଷାରେ ଥରାଉ ଧରିତ୍ରୀ ।
କେତେ ବୃଦ୍ଧ ବୃଦ୍ଧା ନିଅନ୍ତି ବିଦାୟ ପୁଣି ସଦ୍ୟ ଶିଶୁ ଆଗମନ,
ଶୀତର ଶୀତଳ ସ୍ପର୍ଶରେ ଧରାପୃଷ୍ଠରେ
ଆସିଥାନ୍ତି କେତେ ନବ ଜୀବନ ।
ଜନ୍ମ ମୃତ୍ୟୁର ଚକ୍ର ଏବଂ ଋତୁ ଚକ୍ର
ଅବଶ୍ୟମ୍ଭାବୀ ଯୁଗେ ଯୁଗେ,
ବସନ୍ତର ଆଗମନେ ଶୀତରାଣୀ ନିଏ
ବିଦାୟ ବେଗେ ବେଗେ ।
ଶୀତ ବସ୍ତ୍ରର ଉଷ୍ମତା ମନେ ଭରି ଦେଉ,
କୁହୁକ ରାଣୀ ସାଜି କୁଆଡେ ତୁ ଯାଉ ।
ତୋ ପ୍ରେମେ ମତୁଆଲା କରି ଦେଇ ଯାଉ,
ତୋ ଆଗମନକୁ ପୁଣି ଆମେ ଅପେକ୍ଷାରେ ଥାଉ ।
*****