STORYMIRROR

Golak Bihari Sahoo

Classics Children

4  

Golak Bihari Sahoo

Classics Children

ବର୍ଷା ରାଣୀ

ବର୍ଷା ରାଣୀ

1 min
366


ବରଷା ରାଣୀ ତ ଭାରି ସିଆଣି, 

ରହି ରହି କେତେ ନିଗାଡୁ ପାଣି।

ଗାଆଁ ରାସ୍ତା ସବୁ ଭିଜି ଗଲାଣି, 

ଛତା ନେଇ କୁନା ସ୍କୁଲ ଗଲାଣି।

ପାଦ ଚିପି ଚିପି ତା ଚଲା ଠାଣି, 

ପାଦ ଖସିଗଲା ଦେଲା ଗଡାଣି।

ପାଣି କାଦୁଅରେ ତାର ବସ୍ତାନି, 

ପ୍ଯାଣ୍ଟ ସାର୍ଟ ସବୁ ଓଦା ହେଲାଣି।

ତାର ଭେଏଁ ଭେଏଁ କାନ୍ଦକୁ ଶୁଣି, 

ମାଆ ତାକୁ ଟେକି କୋଳେ ନେଲେଣି।

ବରଷାରେ ଭିଜି ଜ୍ବର ହେଲାଣି, 

ନାକରୁ ବୋହୁଛି ଧାର ସିଂଘାଣି।

ତଥାପି ତୋ ରାଗ ରୁଷା ଗଲାନି, 

ଧାରା ଶିରାବଣେ ଢାଳୁଛୁ ପାଣି।

ସହର ରାସ୍ତାରେ ଆଣ୍ଠୁଏ ପାଣି, 

ରାଜନେତାମାନେ କଳି କଲେଣି।

ଧାନକ୍ଷେତେ ଏବେ ଭରିଛି ପାଣି, 

ଚଷାଭାଇ କ୍ଷେତେ ହଳ ନେଲାଣି ।

ମନରେ ତାହାର ଉଠେ ଉଜାଣି, 

ଧାନ ଫଳାଇବ ଶହେ ଗଉଣୀ।

ଖରା ଗ୍ରୀଷମରେ ଧରତି ରାଣୀ,  

ଶୁଷ୍କେ ପଡିଥିଲା ହୋଇ ଦୁଃଖିନୀ।

ତୋର ପାଣି ପିଇ ଫୁଲେଇ ରାଣୀ, 

ମାଟି ମାଆ କହେ କେତେ କାହାଣୀ।

ସବୁଜିମା ବସ୍ତ୍ରେ ହସି ଦେଲାଣି,  

ଧାନ, ମୁଗ, ବିରି ଦେବ ତ ଆଣି।

ଗୁଣ୍ଡିଚା ଯାତ୍ରାରେ ରଥକୁ ଟାଣି, 

କୁନି ହଜାଇଲା ତା ନାକଚଣି।

ଚିତଉର ପିଠା ସେଏଁ କଲାଣି,  

କୁନା କୁନି ଏବେ ଧାଇଁ ଗଲେଣି।

ପିଠା ଖାଇବାକୁ ମାଆର କାନି, 

ଟାଣି ଧରିଛନ୍ତି ଭାଇ ଭଉଣୀ।

ଝୁଲାରେ ଦେଖିବ କାହ୍ନାର ଠାଣି, 

ସଙ୍ଗେ ଝୁଲୁଛନ୍ତି ଶ୍ରୀ ରାଧାରାଣୀ ।

ରାକ୍ଷୀ ପୂର୍ଣ୍ଣିମା ରେ କୁନାକୁ ଆଣି, 

ପିନ୍ଧାଇବ ରାକ୍ଷୀ ଟସର ବେଣୀ।

ଶ୍ରୀ କୃଷ୍ଣ ଜନମ ପର୍ବପର୍ବାଣୀ, 

ଯମୁନାରେ ତେବେ ଉଠିବ ପାଣି।

ବରଷାରାଣୀ ତୁ ଶାନ୍ତ ହେବୁଣି, 

ବିଦାୟ ନ ନେଇ ଚାଲି ଯିବୁନି।

ଶରତ ଆକାଶେ ତାରା ତାରିଣି, 

ମିଟି ମିଟି କରି ଦେବେ ମେଲାଣି।

ବରଷକେ ଥରେ ଆସି ମେଦିନୀ, 

ଖାଦ୍ୟ ଶସ୍ଯ ଭରି ଯିବୁଟି ପୁଣି।

ଦେଖି ଚାହିଁ ଟିକେ ଢାଳିବୁ ପାଣି, 

ବନ୍ଯା ଓ ମରୁଡି ନ ଦେବୁ ଆଣି।

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics