ନିଜକୁ ପ୍ରଶ୍ନ
ନିଜକୁ ପ୍ରଶ୍ନ
ଛନ ଛନ ହୋଇ ସେହି ଝିଅଟି
ଦୁଆର ବନ୍ଧର ଆଢୁଆଳରୁ
ଛପି ଛପି ଚାହେଁ ଲାଜୁଆ ଆଖିରେ
ବାଦଲ କୋଳରେ ଅଧା ଜହ୍ନଟି ,
କେବେ ଦେଖାଦିଏ କେବେ ଛପି ଯାଏ
କାହିଁକି ଏ ମନ ହୁଅଇ ଘାଣ୍ଟି ?
ଚାଲି ଯାଉଥାଏ ପାଖକୁ ନ ଆସେ
ଝନ ଝନ ହୁଏ ତା ପାଦ ପାଉଁଜି ,
ଏ ମନଟା କାହିଁ କନ କନ ହୁଏ
କଥା କହିବାକୁ ତା ପାଖେ ପହୁଁଚି ?
ଆଖିର ଇସାରା ମାଦକତା ଭରା
ମନେ ବ୍ୟାକୁଳତା ଆଣେ କାହିଁକି ?
ତା ହାତରେ ହାତ ରଖି ପାଶେ ବସି
ମନ ଖୋଲି କଥା ହେବା ପାଇଁକି ?
ଏଇଟା କି ପ୍ରେମର ପ୍ରଥମ ଭାଷା
ଆଖିର ଇସାରା ମୁରୁକି ହସା
ହାତର ସ୍ପର୍ଶରେ ଲାଜକୁଳୀ ଲତା
କାହିଁକି ଝାଉଁଳି
ପଢିବାକୁ ବ୍ୟଗ୍ର ପ୍ରେମ ଚାଳିଶା ?
ଶିଶୁର ବେଦନା ଆକୁଳତା ଭାବ
ଦୂର ହୋଇଯାଏ ମାଆର କୋଳେ
ମାଆ କୋଳେ ଥାଏ କିବା ସ୍ପରଶ ?
ମାଆର ଡାକରେ ସ୍ନେହ ଭରିଯାଏ
ମାଆ ହାତେ ଖାଇ ତୃପ୍ତି ଆସିଯାଏ
ମାଆ ଆଲିଙ୍ଗନେ ମନ କିଆଁ ହରସ ?
ପ୍ରିୟା ଆଲିଙ୍ଗନେ କି ଥାଏ ସୁଖ
ମାଆ ବାପା ସବୁ ଲାଗନ୍ତି ବିଷ
ବାପ ମାଆ ତ୍ୟାଗି ବିଚାରା ପ୍ରେମିକ
ପ୍ରେମିକା ପଛରେ କାହିଁକି ଧାଏଁ ?
ସେ ପ୍ରେମ ଡୋରିର ତାକତ ନ ଜାଣି
ଘରଦ୍ଵାର ଛାଡି ବାଉଳା ହୁଏ ।
ମଣିଷ ଜୀବନ ପାଣି ଫୋଟକା
ଏବେ ଅଛି ଏବେ ନ ଥିବ ଦେଖା
ତଥାପି ସଂସାର ଆମେ ଗଢିବା
ସଂପର୍କର ମାୟା ଜାଲରେ ଫଶି
ଧନ ଅର୍ଜନରେ ଲାଗି ପଡିବା,
କାହିଁକି ମନରେ ଆସଇ ଲୋଭ ?
ମୋର ମୋର କହି ସବୁ ସାଉଁଟିବା
ଯିବାବେଳେ ସବୁ ଛାଡି ତ ଯିବା
ଭଲ ମନ୍ଦ ପାପ ପୁଣ୍ୟକୁ ଜାଣି
ଖରାପ ବାଟରେ କାହିଁକି ଯାଇ
ମାନବତାର ହତ୍ୟା କଲୁଣି ,
କାହିଁକି ମାନବ ସଂପର୍କ ପାଶୋରି
ଅମାନୁଷିକତା ଆଚରଣ କରି
ଦୟା କ୍ଷମା ଗୁଣ ଭୁଲି ଗଲୁଣି ?