ହେ ଦେବୀ
ହେ ଦେବୀ
ହେ ଦେବୀ ମା ଦୁର୍ଗା ଦେବୀ
ମହାଦେବୀ ଆଦିଶକ୍ତି,
ମହିଷାସୁର ମର୍ଦ୍ଦିନୀ
ଜଗଦମ୍ବା, ଭଗବତୀ ।
କେବେ ତୁହି ସୌମ୍ୟ ଶାନ୍ତ
ମାତା ତୃପ୍ତିର ଅମୃତ,
ଅଭୟ ଆଶୀଷ ଦାତ୍ରୀ
ଜଗତ କଲ୍ୟାଣେ ସ୍ଥିତ ।
ଦୁଷ୍କର୍ମ ପାପ ବିନାଶେ
କୋପେ ହେଉଥାଉ ଉଭା,
ତୋ ଅମାପ ଶକ୍ତି ଆଗେ
ଭୁଲୁଣ୍ଠିତ ଦେବ ଦେବା ।
ଦଶଭୂଜାରେ ଧାରଣ
ଶଙ୍ଖ ଚକ୍ର ତୀରଧନୁ,
ତ୍ରିଶୂଳ ଓ ଗଦା ଖଣ୍ଡା
ପଦ୍ମେ ବିଭୁଷିତ ତନୁ ।
ତୁହି ମାତା ଯୋଗମାୟା
ମୋହିନୀ ତୁ ମାୟାବିନୀ,
କେ କରିଛି ତୋର ସୃଷ୍ଟି
ଅଗୋଚର ତୋ କାହାଣୀ ।
ତୁହି ମାତା ମହାକାଳୀ
ସାଧ୍ଵୀ, ପିନାକ ଧାରିଣୀ,
ଚିତ୍ତରୂପା, ଦୁର୍ଗାମାତା
ସତ୍ୟାନନ୍ଦ, ସ୍ଵରୁପିଣୀ ।
ତ୍ରିନେତ୍ରା, ଶୂଳଧାରିଣୀ
ଦକ୍ଷକନ୍ୟା, ଭବପ୍ରୀତା,
ସର୍ବମନ୍ତ୍ରମୟୀ, ଆଦ୍ୟା
ମହାତପା, ଦେବମାତା ।
ଆଦିମାତା, ଭବାନୀ ତୁ
ସୃଷ୍ଟିର ମୂଳରେ ତୁହି,
ଏ ଅଧମ ଅସମର୍ଥ
ତୋହର ବର୍ଣ୍ଣନା ପାଇଁ ।
ଶକ୍ତି ରୂପେ କରେ ପୂଜା
ମାତା ରୂପେ ଶ୍ରଦ୍ଧା ବହି,
ଏ ଅଧମ ସନ୍ତାନକୁ
ପୂଜାବିଧି ଜଣା ନାହିଁ ।
ବରଷକୁ ଥରେ ମାତା
ବିଜୟାଦଶମୀ ଦିନେ,
ଏ ଭାରତ ଭୂମିପରେ
ଆସୁଛୁ ସିଂହ ବାହାନେ ।
ନବରାତ୍ରୀ ପୂଜାତ୍ସବେ
ପୁଲକିତ ସଭି ପ୍ରାଣ,
ତୋ ଆଗମନେ ଧରିତ୍ରୀ
ଫେରିପାଏ ଯଉବନ ।
ଶସ୍ୟ ଶ୍ୟାମଳାରେ ଭରି
ଗାଉଥାଏ ତୋର ଗୀତି,
ତୋ ମଣ୍ଡପେ ଘୁରିବୁଲେ
ବାଳବୃଦ୍ଧ ଦିନ ରାତି ।
ଦୁଃଖକୁ ପାଶୋରି ତୋର
ପୂଜାରେ ସମର୍ପି ଦିଏ,
ଢୋଲ ବାଦ୍ୟ ଶବ୍ଦେ ତୋର
ନାଚି ନାଚି ସ୍ତୁତି ଗାଏ ।
ଅସୀମ ଶକ୍ତି ସଂଚାରେ
ତୋର ଆଶୀର୍ବାଦ ପାଇ,
ଜୀବନ ରଥକୁ ଟାଣେ
ଜୀବନ ଯନ୍ତ୍ରଣା ସହି ।
ଦୁଷ୍ଟର ବିନାଶ କରି
ଶାନ୍ତି ଓ ଧର୍ମ ସ୍ଥାପନା,
କରୁଥାଅ ଦୁର୍ଗାଦେବୀ
ଆମ୍ଭର ଏହି ପ୍ରାର୍ଥନା ।