ହେ ଦେବୀ ନାରୀ ଶକ୍ତି
ହେ ଦେବୀ ନାରୀ ଶକ୍ତି
ଆମେ ଫୁଲେଇ ନଦୀର ଝରଣା,
ଭବ ସାଗରରେ ସ୍ରୋତ କରୁଣା ।
ରଙ୍ଗିନୀ ସୁମନ ଭରା ଉଦ୍ୟାନ ,
ଆମେ ସୁରଭି ଶୀତଳ ପବନ ।
ପାଶେ ବହିଗଲେ କୁଳୁ କୁଳୁରେ ,
ଧୋଇ ଦୁଃଖକୁ ଭସାଉ ସାଗରେ ।
ଆମେ ପ୍ରୀତି ଚିରସ୍ରୋତା ନିର୍ଝର ,
ପ୍ରେମ ଜାହ୍ନବୀ ଓ ଦମ୍ଭ ପାହାଡ ।
ସ୍ନେହ ମମତାର ରଜ୍ଜୁ ଅତୁଟ ,
ଶାନ୍ତ କରୁ ଆମେ ମନ ଅଝଟ ।
ଯେବେ ସମାଜ ଦିଅଇ ଲାଞ୍ଛନା ,
ଆମେ ବାଇଢଙ୍କ ଲତା ଅରଣା ।
ନାରୀ ଜାତିକୁ ଯେ ଦିଏ ଯାତନା,
ଅମଣିଷ ସେ ଅଟେ ହୀନମନା ।
ପାପ କର୍ମରୁ ଭୋଗିବ ଯନ୍ତ୍ରଣା ,
ଜନ୍ମ ଜନ୍ମାନ୍ତରେ ନର୍କ ଯାତନା।
ଆମେ ଲକ୍ଷ୍ମୀ, ସରସ୍ଵତୀ, ସାବିତ୍ରୀ,
କେବେ ମାୟାବିନୀ କେବେ ପାର୍ବତୀ ।
ଦେବୀ ଦୁର୍ଗା ଦୁର୍ଗତି ନାଶିନୀ,
ପାପେ ଭାରି ହୁଏ ଯେବେ ମେଦିନୀ ।
ଶ୍ରଦ୍ଧା ସୁମନ ଅର୍ପଣେ ପୂଜିଲେ,
ନାରୀ ଅବଳା ନ ଭାବି ଭଜିଲେ ।
ସର୍ବ ତ୍ୟାଗୀ ଆମେ ପର ହିତରେ
ପ୍ରାଣ ବିସର୍ଜନେ ବିନା ଦ୍ୱିଧାରେ ।
କନ୍ୟା ଭଗିନୀ ମାଆ ଓ ମାଉସୀ,
ଜାୟା ବଡମା ଖୁଡୀ ଓ ପିଉସୀ ।
ଆମେ ବହୁରୂପେ ଦେଇ ଦର୍ଶନ ,
ସୁଖ ଶାନ୍ତିରେ ସମାଜ ମଣ୍ଡନ ।
ଆମ ବିନା ଏ ସଂସାର ନରକ,
ନାରୀ ପୁରୁଷ ମଧ୍ୟେ କି ଫରକ ।
ଦୁହେଁ ଦୁହିଁଙ୍କର ପ୍ରାଣ ବଲ୍ଲଭ ,
ଦୁହେଁ ଦୁହିଁଙ୍କର ଗର୍ବ ଗୌରବ ।
ଦୁହେଁ ଜୀବ ସତ୍ତାର ସୌରଭ,
ନାରୀ ପୁରୁଷ ସୃଷ୍ଟିର ବିଭବ ।
ସୃଷ୍ଟିକର୍ତ୍ତୀ ଆମେ ହୃଦଚନ୍ଦନ ,
ମାତୃ ଜାତିର କର ହେ ସମ୍ମାନ ।
ମୂର୍ତ୍ତି ପୂଜନରେ କିଆଁ ଆସକ୍ତି,
ସ୍ନେହ, ଶ୍ରଦ୍ଧା,ନିର୍ମଳତାରେ ବ୍ରତୀ ।
ନାରୀ ଜାତିରେ ରଖ ହେ ଭକତି,
ଦେବୀ ନାରାୟଣୀ ନାରୀ ଶକତି ।
ଦୁର୍ଗା ମା ହେବେ ତେବେ ପ୍ରସନ୍ନ ,
ସୁସ୍ଥ ସମାଜ ହୋଇବ ଗଠନ ।