ଏକତା ହିଁ ବଳ
ଏକତା ହିଁ ବଳ
ଅସାଧ୍ୟ ସାଧନ ହୁଏ ଏକତାରେ
ଏକତାରେ ଶକ୍ତି ବୃଦ୍ଧି
ଦାବି ହାସଲରେ ମନ୍ତ୍ର ତୁଲ୍ୟ କାମ
ସତେ ଅବା ମହୌଷଧି।
ଯୋଡ଼ାକୁ ଘୋଡ଼ା ସରି ନୁହେଁ ଉକ୍ତିର
ଅଛି ସଦା ଯଥାର୍ଥତା
ମନୋବଳ ବାହୁବଳ ହୁଏ ଦୃଢ଼
ଯହିଁ ରହିଛି ଏକତା।
ଏକତା ମନ୍ତ୍ରରେ ସେତୁ ବନ୍ଧ ବାନ୍ଧି
ବାନର ସେନା ମିଳିତ
ଏକ ସ୍ଵରରେ ଜୟ ଶ୍ରୀରାମ ଧ୍ଵନୀ
ଯୁଦ୍ଧ କ୍ଷେତ୍ରେ ଏକତ୍ରିତ।
ଏକତା ବଳରେ ଶତ୍ରୁ ପରାଜିତ
ଉଡ଼ିଲା ବିଜୟ ବାନା
ଏକତା ହିଁ ଶକ୍ତି ହେଲା ପ୍ରମାଣିତ
ଏକତା ଶକ୍ତି ସୂଚନା।
ଭାଇ ସହ ମିଶି ଶତ୍ରୁ ସହ ଲଢି
ହେଲା ରାମଙ୍କ ବିଜୟ
ଭାଇ ବିନା ଶକ୍ତି ହରାଇ ରାବଣ
ଲଭିଥିଲା ପରାଜୟ।
ଘର ପରିବାର ଅବା ଭାଇ ଭାଇ
ଏକତା ସୂତ୍ରରେ ରହିଲେ
ସବୁ ସମସ୍ୟାର ହୁଏ ସମାଧାନ
କଳେବଳେ ଓ କୌଶଳେ।
ଗୋଟି ଗୋଟି ଫୁଲ ଗୁନ୍ଥି ହୁଏ ମାଳ
ଅପୂର୍ବ ସୁନ୍ଦର ଦିଶେ
ଠାକୁରଙ୍କୁ ଭକ୍ତ ଫୁଲ ମାଳ ଦେଇ
ମନରେ ଶୁଭ ମନାସେ ।
ସୂତା ସହ ସୂତା ଯୋଡ଼ି ହୋଇ ବସ୍ତ୍ର
ପଇତା ସୂତା ମିଶ୍ରିତ
ଏକା ପ୍ରକାରର ବସ୍ତ୍ର ପରିଧାନେ
ବିଦ୍ୟାର୍ଥୀ ହୁଏ ଭୂଷିତ।
ଗୋଟିଏ ପିମ୍ପୁଡ଼ି ଅବା ମହୁମାଛି
ହୋଇଥାଏ ଶକ୍ତିହୀନ
ଦଳବଦ୍ଧ ହୋଇ ଏକତ୍ରିତ ହେଲେ
ଶତ୍ରୁ ହୁଅଇ ଅଧୀନ।
ଏକତା ମନ୍ତ୍ରରେ ଅସାଧ୍ୟ ସାଧନ
ଏକତାରେ ଐକ୍ୟ ଭାବ
ଏକତା ସୂତ୍ରରେ ବାନ୍ଧି ହୋଇ ଥିଲେ
ଏକ ନିଷ୍ଠାର ସ୍ୱଭାବ।
ବିନ୍ଦୁ ବିନ୍ଦୁ ଜଳ ଟୋପାଏ ଏକତ୍ର
ସୃଷ୍ଟି ହୋଇଛି ସାଗର
କ୍ଷୁଦ୍ର ବାଲିକଣା ଏକତ୍ର ହୋଇଲେ
ବାଲିସ୍ତୁପର ସମ୍ଭାର।
ଏକ ଏକ ମୁଦ୍ରା ହୋଇଲେ ସଞ୍ଚୟ
ଧନରାଶି ହୁଏ ବୃଦ୍ଧି
ଅସମୟରେ ସଞ୍ଚିଥିବା ଧନ
ଦିଏ ସୁଖ ଓ ସମୃଦ୍ଧି।
ଏକତା ବଳରେ ସ୍ଵାଧୀନତା ପ୍ରାପ୍ତି
କହିଲେ ଜାତିର ପିତା
ଭାରତର ସମ୍ବିଧାନ ବି କହୁଛି
ବିଭିନ୍ନତାରେ ଏକତା।
ପାଞ୍ଚୋଟି ଆଙ୍ଗୁଠି ହୋଇଲେ ଏକାଠି
ରୂପ ନିଏ ଏକ ମୁଷ୍ଠି
ଏକାକୀ ଆଙ୍ଗୁଳି ଅସମର୍ଥ ହେଲେ
ସମର୍ଥ ହୁଅଇ ମୁଷ୍ଠି।
ସଭା ସମିତିରେ ଏକତ୍ରିତ ହୋଇ
ନିର୍ଣ୍ଣୟ ହୁଏ ନିଷ୍ପତି
ବହୁ ଲୋକଙ୍କର ମତାମତ ସହ
ନିଷ୍ପତିରେ ସହମତି।
ଏକାକୀ ଭୋଜନ ସ୍ଵାଦିଷ୍ଟ ହୁଏନି
ନିଆରା ସେ ବଣଭୋଜି
ସମାରୋହ ଅବା ପଙ୍କ୍ତି ଭୋଜନରେ
ମନ ଯାଇଥାଏ ମଜ୍ଜି।
ପତ୍ର ହୀନ ବୃକ୍ଷ ନଥାଏ ଆଦର
ଥୁଣ୍ଟା ବୋଲି ଅଛି ଆଖ୍ୟା
ଘଞ୍ଚ ପତ୍ରଯୁକ୍ତ ବୃକ୍ଷ ଛାୟା ତଳେ
ଖରା ଦିନେ ଆତ୍ମ ରକ୍ଷା।
ଦେଖି ଇଟା ଅବା ପଥର ଖଣ୍ଡିଏ
ମନରେ ନଥାଏ ଶ୍ରଦ୍ଧା
ସେହି ଇଟା ପଥରରେ ଅଟ୍ଟାଳିକା
ଉପଯୋଗୀ ଓ ସୁବିଧା।
ସାଙ୍ଗସାଥୀ ମେଳେ ପିଲା ଦିନ ଖେଳ
ମନରୁ ଭୁଲି ହୁଏନି
ଏକା ଏକା ଜୀବନରେ ଯେତେ ଖେଳ
ମନରେ ଶାନ୍ତି ଆସେନି।
ହିଂସା ଦ୍ୱେଷ ମାନ ଅଭିମାନ ଭୁଲି
ରହିଲେ ଐକ୍ୟ ମନରେ
ସବୁ ସମସ୍ୟାର ସମାଧାନ ହେବ
ସାଧାରଣ ସହଜରେ।
କାଳ ପରେ କାଳ ବିତି ତ ଗଲାଣି
ସବୁ କାଳେ ଐକ୍ୟ ବଳ
ଯୁଗ ଯୁଗ ଧରି ରହିଛି ରହିବ
ଉକ୍ତି,ଏକତା ହିଁ ବଳ।
