ସୁଖ ଦିନ ଫେରେ ଧରାକୁ
ସୁଖ ଦିନ ଫେରେ ଧରାକୁ
ବିଦାୟବେଳାରେ ବରଷାରାଣୀଟି
ଦିଶୁନାହିଁ ଆଉ ହରଷ
ଆସି ଅଳସରେ ଶାରଦୀୟ ବାଆ
ଦେଲାଣି ତା' ମିଠା ପରଶ ।।
ମନୋହର ଦିଶେ ନୀଳଆକାଶଟି
ଧଳା ମେଘଙ୍କର ମେଳରେ
ସୁନାରଙ୍ଗୀ ହସ ହସେ ଜହ୍ନି ଲତା
ଫୁଲ ଫୁଟା ସଂଜ ବେଳରେ ।।
ଦୋହଲି ଦୋହଲି ନାଚେ ଢଳି ଢଳି
ଚଷାପୁଅ ଧାନ କିଆରୀ
ଧରଣୀ ମାଆକୁ ଶାଗୁଆ ଶାଢ଼ୀଟେ
ସତେ ସେ ଦେଇଛି ତିଆରି ।।
ଦଳ ଦଳ ହୋଇ ହୀରା ପ୍ରଜାପତି
ଉଡନ୍ତି କୁସୁମ ବନରେ
ଖୁସି ଖେଳିଯାଏ ବଧୂଲି, ଅଗସ୍ତି
ଅପରାଜିତାର ମନରେ ।।
ଉଡୁଥାଏ ଗୋଟେ ନିଃସଙ୍ଗ ଚଢେଇ
ଦୂର ତାଳବଣ ପାଟରେ
କାନ୍ଧରେ କେନ୍ଦରା ଏକାକୀ ଯୋଗୀଟି
ଫେରୁଥାଏ ଗାଆଁ ବାଟରେ ।।
ପୁନେଇଁ ରାତିରେ ରୁପେଲି ଜୋଚ୍ଛନା
ଢାଳିଦିଏ ସଫା ଜହ୍ନଟା
ଦେଖିଦେଲେ ତାକୁ ଫୁଲିଉଠେ ଭାରି
କୁମୁଦ ସୁନ୍ଦରୀ ମନଟା ।।
ଆସେ ଦଶହରା ତା' ପଛକୁ ଆସେ
କୁଆଁରୀ ଝିଅଙ୍କ ପରବ
କିଣାକିଣି ହୁଏ ନୂଆ ଲୁଗାପଟା
ଆଉ ଯେତେ ପୂଜା ଦରବ ।।
ବରଷା ଶେଷରେ ଶରତ ଶୋଭାରେ
ସୁଖ ଦିନ ଫେରେ ଧରାକୁ
ପେଟ ପୂରିଯାଏ ଚାହିଁଦେଲେ ଥରେ
ତା'ର ନିରିମଳ ଝରାକୁ ।।