ସୁଜିତ; ସାଙ୍ଗ ପ୍ରକୃତ
ସୁଜିତ; ସାଙ୍ଗ ପ୍ରକୃତ
ସାଙ୍ଗଟେ ଲମ୍ୱା ଚଉଡ଼ା, ନାଁ ତା'ର ଯେ ସୁଜିତ;
ଚଉ ପାଖେ ଲୋକ ଥିବେ, ତା'ର ସହସ୍ର-ଶତ;
ବିନା କାମେ ରହିପାରେ, ସେ ବି ବ୍ୟସ୍ତ ଅତ୍ୟନ୍ତ;
କହିବ ଯଦି ପାଗଳା ତାକୁ, ଭୁଲ ହେବ ଏ ମତ;
କଥା ସବୁ କହେ ଯାହା, ଟିକେ ଲାଗେ କଳ୍ପିତ;
କହିବି କିଛି କଥା ତା', ଅଛି ଯାହା ତେଣୁ ନିହିତ ।
କ୍ରମଶଃ ତା' ହେଇଛି କିନ୍ତୁ,ମନୋବଳ ଟିକେ ହତ;
କିନ୍ତୁ ଜୀବନକୁ ନେଇ ତା', ଟିକେ ଭିନ୍ନ ଅଭିମତ;
ଭାବୁକ ବଡ ମନେପଡେ, ଯେବେ ତା' କଥା ଅତୀତ;
ଭାବେ ସିଏ ଫେରନ୍ତା କି, ଯାହା ହେଇଛି ଯେ ଗତ;
ଜୀବନ ବିଷୟେ ସେ, ରହେ ସଦା ଟିକେ ଭୀତ;
ଭାବି ଭାବି ହଜିଯାଏ, କ'ଣ ହେବ ଭବିଷ୍ୟତ ।
ଫାଙ୍କା ଥିଲେ ଭଲପାଏ, ଶୁଣିବାକୁ ଗୀତ ସଙ୍ଗୀତ;
ସକାଳୁ ତା' ଯୋଗ ମୁଖ୍ୟ, ହେଉଥାଉ ପଛେ ଶୀତ;
ଭାରି ମନଯୋଗୀ ସେ, ଯାହା ତା' ଦେହକୁ ହିତ;
ପିଲା ବଡ ଉପକାରୀ, ଯେମିତି ଚାଷକୁ ଖତ;
ମାରିବ କାହାକୁ ଯଦି, ଲୋଡ଼ା ନାହିଁ ତାକୁ ବେତ;
କହୁଅଛି ଶୁଣ ତହିଁ, ନାହିଁ କିଛି ମିଶ୍ରିତ ।
ମାତା ସେବାରେ ନିଜକୁ, ରଖେ ସଦା ନିୟୋଜିତ;
ଦାୟୀତ୍ୱରେ ନ କରେ ହେଳା, ସେ ଅଟେ ତ ସୁପୁତ;
ଟିକେ ବି ନୁହଁ ମିଛ, ଯାହା ମୁଁ କହିଲି ସତ;
ସେ ଯେମିତି ହଉ ପଛେ, ଅଟେ ମୋ ଉତ୍ତମ ମିତ;
ଅପେକ୍ଷାରେ ରହିଛି ମୁଁ, ଯେବେ ହେବ ମିଳିତ;
ହେବ ବାକି ଆଲୋଚନା, ଥିବ ଯାହା ବିହିତ ।