ଗୀତାଞ୍ଜଳି:ବାହାଘର କଥା ହସଥଳି
ଗୀତାଞ୍ଜଳି:ବାହାଘର କଥା ହସଥଳି
ସାଙ୍ଗ ଟିଏ ପିଲାଦିନେ, ଥାଏ ଝିଅ ଗୀତାଞ୍ଜଳି
ମୁଣ୍ଡ କେଶ ଦିଶେ ଯେନ୍ହେଁ, ଓଉଟେ ଅଛି ଫଳି
କରୁ ନ ଥିଲା ତ ସେ, କେବେ କାହା ସହ କଳି
ଦିଅ ପଛେ ତାକୁ ତୁମେ, ଯେତେ ପ୍ରକାରେ ଗାଳି |
ଆଜି ଦିନେ ହାତରେ ତା', ଲାଗିଲା ମେହେନ୍ଦି ନାଲି
ଅପେକ୍ଷାରେ ସଭେଁ ଯିବ, ଝିଅ ଶାଶୁ ଘରେ ଚାଲି
ଝିଅ ଜନମ ପର ଘରକୁ, ହେବ ମୁଣ୍ଡକୁ ଚୁଲି
ବାପା ମନେ ଟିକେ କୋହ, ହେଲେ ଯାଏ ଛାତି ଫୁଲି ।
ଚଢ଼ିବ ହଳଦୀ ତେଲ, ଝିଅକୁ ସଜା ହେଲା ଥାଳି;
କିଏ ପିନ୍ଧିଛି ନାଲି ତ, କିଏ ପିନ୍ଧିଛି ନେଳି;
ଢାଳିଲେ ଶେଷେ ଦେହେ, ତା' ହଳଦୀ ପାଣି ଘୋଳି;
ଫୁଲଟେ ଫୁଟିଥିଲା ତା'କୁ, ସଜେଇ ରଖିବ ମାଳି |
ସଜେଇ ମଜେଇ ସଭେଁ, ଦିଶନ୍ତି ଏକା ଭଳି;
ବର ଦ୍ବନ୍ଦେ ତା'କୁ ଦିଶେ, କିଏ ନାନୀ କିଏ ଶାଳୀ;
ଭାବେ ବାଛନ୍ତା କି ଶାଳୀ, ସଭିଙ୍କୁ କବାଟ କିଳି;
ଡରିଯାଏ ପୁଣି ମନେ, ମିଶି ଦେବେନି ତ ଦଳି |
ପହଞ୍ଚିଲା ପର ଦିନ, କନିଆଁ ବର ଗାଁ ଗଳି;
ନାଚିଲେ ସାଙ୍ଗ ସବୁ, ରାସ୍ତାରେ ଉଠିଲା ଧୂଳି;
ଚଉପାଖେ ଦେଉଥାନ୍ତି, ମା-ମାଉସୀ ହୁଳହୁଳି;
ପଡୁଥାଏ ଶୀତ ଥାନ୍ତି, ଲୋକେ କିଛି ନିଆଁ ଜାଳି |
ବର ସାଜିଛି ଆଜି ସିଂହ, ଆଗକୁ ରହିବ ଛେଳି;
କଥା କଥାରେ ହାରିବ, ହେବ ତା' ଭାବନାର ବଳି;
ହେଲେ ଦୁହିଁଙ୍କ ସମ୍ପର୍କ, ରହୁ ଦୃଢ଼ ନ ଯାଉ ଟଳି;
ଅଭିନନ୍ଦନ ଗୀତାକୁ, ଦିଅ ମାରି ସଭେଁ ତାଳି |