ସତ୍ୟ ମେବ ଜୟତେ
ସତ୍ୟ ମେବ ଜୟତେ
ମନର ଦର୍ପଣ ସ୍ୱଚ୍ଛ ରଖିଥିଲେ
ବିବେକ ଚାଲେ ବାଟରେ
ଆଇନାରେ ଦାଗ ଲାଗିଗଲେ ଥରେ
ଫାଟ ହୁଏ ସମ୍ପର୍କରେ |
ଜ୍ଞାନର ଗରବ ଭଲ ନୁହେଁ ଜମା
ସ୍ଥାନ ନୁହେଁ ଚାରି କାନ୍ଥ
ଯେତେ ବାଣ୍ଟିଲେବି ସରେନା କେବେବି
କହିଛନ୍ତି ସାଧୁ ସନ୍ଥ |
କ୍ରୋଧରେ କିଏବି କେବେବି ଜିତିନି
ମଣିଷର ହୃଦୟକୁ
ଅଚିହ୍ନା ମଣିଷ ହସିଦେଇଥାଏ
ଦେଖି ହସିଲା ମୁଁହକୁ |
ସଙ୍ଗତ ପ୍ରଭାବ ଜୀବନରେ ପଡେ
ସତ୍ ସଙ୍ଗ କି କୁସଙ୍ଗ
ସତ୍ କରିଥିଲେ ଆଦର୍ଶ ହୋଇବ
କୁସଙ୍ଗେ ଜୀବନ ବ୍ୟଙ୍ଗ |
ଅତି ଚିପୁଡ଼ିଲେ ଲେମ୍ବୁ ଲାଗେ ପିତା
ପାଟିକୁ ଅରୁଚି କରେ
ଅଳପ କଥାକୁ ବୁଝାଇ କହିଲେ
ଭଲ ହେବ ସେତିକିରେ |
ପରର ନିନ୍ଦାରେ ନିଜ ପ୍ରଶଂସାରେ
ଖୁସି ହେବ ଯେଉଁ ଲୋକ
ଅହଂକାର ତାକୁ ଗ୍ରାସ କରିନେବ
ଲିଭିବ ଜ୍ଞାନ ଆଲୋକ |
ଅନ୍ୟର ଧନକୁ ଦେଖି ଇର୍ଷା କରେ
ମନ୍ଦ ପାଞ୍ଚେ ଯିଏ ମନେ
ଉନ୍ନତିର ପଥେ ଯିବେ ସବୁ ଆଗ
ସିଏ ଥିବ ସେହି ସ୍ଥାନେ |
ଛୋଟ ହେଉ ଅବା ବଡ଼ର କଥାକୁ
ନ ଶୁଣେ ଯେଉଁ ମାନବ
ପଶ୍ଚାତାପ ତାର କର୍ମରେ କରିବ
ଯେବେ ସେ ବିଫଳ ହେବ |
କ୍ରୋଧରେ ନିଷ୍ପତି ନେଇଥାଏ ଯିଏ
ଭୂଲ ଠିକ ଜାଣେ ନାହିଁ
ପରେ ଅନୁତାପ କରିବାକୁ ପଡେ
ଦୂର ଯେବେ ହୁଏ କେହି |
ଧନୁରୁ ତୀରଟେ ମୁଖରୁ କଥାଟେ
ବାହାରିଲେ ଫେରେ ନାହିଁ
କାହାକୁ କେମିତି କହି ଯେ ନ ଜାଣେ
ଅପଦସ୍ତ ହୁଏ ସେହି |