ତୁମ ପାଇଁ
ତୁମ ପାଇଁ
କେଡେ ମିଠା ସତେ
ତୁମ ଅନୁଭୂତି
ଅନୁଭବି ସିନା ଜାଣେ
ହୃଦୟ ମନ୍ଦିରେ
ତୁମେ ଅଛ ପ୍ରଭୁ
ପ୍ରତିକ୍ଷଣେ ଅନୁକୋଣେ।
ଭକତ ଭାବରେ
ବନ୍ଧା ତୁମ ମନ
ଭକତର ବେଣୁପାଣି
ଭକତ ଦୁଃଖରେ
ଦୁଃଖୀ ହୁଅ ତୁମେ
ନୟନୁ ଝରାଇ ପାଣି।
ରତ୍ନସିଂହାସନ
ଆଲଟ ଚାମର
ଲାଗେ ସବୁକିଛି ଫିକା
ଦେବଦାସୀ ନାଚ
ଲାଗେ ନାହିଁ ଭଲ
ଡାକୁଥିଲେ ଭକ୍ତ ଏକା ।
ଭକତ ତୁମର
ତୁମେ ଭକତର
ଅନ୍ତରର ପ୍ରାଣନାହା
ତୁମ ବିନା ଭକ୍ତ
କେମିତି ବଞ୍ଚିବ
ତୁମେ ପରା ତା'ର ସାହା।
ଜୀବନ ଚିତ୍ରରେ
ଭରିଦିଅ ତୁମେ
ସପ୍ତରଙ୍ଗୀ ମଧୁ ଛିଟା
ତୁମ ବିନା ହୃଦ
ହୁଅଇ ନିଶ୍ଚଳ
ନୀରବରେ ଆସେ ଭଟ୍ଟା।
