ଶୀତ ରାଣୀ
ଶୀତ ରାଣୀ
ଯାଇଛି ଶରତ
ଯାଇଛି ହେମନ୍ତ
ଆସୁଅଛି ଶୀତ ରାଣୀ
ଶୀତ ସକାଳର
ପହିଲି ପୁଲକ
ମନ ନେଉଅଛି କିଣି ।
ହସୁଛି କାକର
ଦୁର୍ବାଦଳ ମଧ୍ୟେ
ମୁକୁତାର ରୂପନେଇ
ନବ ବିବାହିତା
ତରୁଣୀ ପରିକା
ଚାଲୁଅଛି ନଇଁ ନଇଁ ।
କୁସୁମ କଢିଟି
ଚାହୁଁଛି ଆବେଗେ
ପାଖୁଡାକୁ ତାର ମେଲି
କଅଁଳ ଖରାର
ଉଷୁମ ସ୍ପର୍ଶରେ
ଭ୍ରମର ଆସିବ ବୁଲି ।
ଧୂମ୍ରାଭ ଦିଗନ୍ତ
ଅଳସ ପଣରେ
ହସୁନାହିଁ ଖିଲି ଖିଲି
ଯୁଆଡ଼େ ଚାହିଁଲେ
ଦିଶୁଥାଇ ଶୂନ୍ୟ
ମର୍ତ୍ତ୍ୟ ଲାଗେ ଖାଲି ଖାଲି ।
ଅମୃତ ସମାନ
ସୂରୁଜ କିରଣ
ଚାହେଁ ଯେବେ ଓଠ ଖୋଲି
କୀଟ ଠୁ ପତଙ୍ଗ
ହୁଅନ୍ତି ଚଞ୍ଚଳ
ଶୀତକୁ ଯାଆନ୍ତି ଭୁଲି ।
ଦିବସର ଅନ୍ତେ
ଆସଇ ରଜନୀ
ମେଳଣ ଉଠଇ ହସି
ନାନା ଦରବର
ବିକାକିଣା ହୁଏ
ସଭିଏଁ ହୁଅନ୍ତି ଖୁସି ।।
