ନିଆରା ପ୍ରେମ
ନିଆରା ପ୍ରେମ
ନିଆରା ଯୁଗର
ନିଆରା ଏ ପ୍ରେମ
ଦେଖି ଯାଆନ୍ତନି ଥରେ
ଅବୁଝା ମନକୁ
ବୁଝାଇ ଦିଅନ୍ତ
ପ୍ରେମ ଭରା ଆଳାପରେ।
ନାହିଁ ସିନା ଦୃଷ୍ଟି
ଦେଖିବାକୁ ପ୍ରିୟା
ତୁମରି ନୀଳ ନୟନ
ହୃଦୟ ବୀଣାରେ
ଗାଏ ସାତ ସୁର
ପଢ଼ିବାକୁ ତୁମ ମନ ।
ଦେଇ ପାରିବିନି
ଦାମୀ ଉପହାର
ମୃଣ୍ମୟ କଙ୍କଣ ହାର
ମଧୁବୋଳା ଓଠେ
ଢାଳୁଥିବି ମଧୁ
ପ୍ରାଣ ଥିବା ଯାଏ ମୋର ।
ସ୍ନେହ ଶାମୁକାରେ
ସାଇତି ରଖିବି
ଦେଇ ମୋ ହୃଦୟେ ସ୍ଥାନ
ଜୀବନର ପଥ
ହେବ ଅତିକ୍ରମ
ଝରିବ ପ୍ରୀତି ସୁମନ।
ଅନ୍ଧାର କାନ୍ଥରେ
ଲେଖିଯିବା ଆମେ
ଆମରି ପ୍ରେମର ଗୀତି
ଆଲୁଅ ଛିଟାରେ
ଝଲସି ଉଠିବ
ଅଭୁଲା ଏ ଚିତ୍ରଗୀତି ।
ଦୁହେଁ ତ ଦୁହିଁଙ୍କ
ଚିର ଆକାଂକ୍ଷିତ
ମୃଦୃ ମଳୟର ଛୁଆଁ
ପ୍ରେମ ଆକାଶରେ
ହଜିଯିବା ଆମେ
ଭୁଲି ନିଜ ନିଜ ନାଆଁ।

