ସମ୍ପର୍କ
ସମ୍ପର୍କ
ଅବିଶ୍ବାସୀ ମନ
ଜାଳିଦିଏ ନିତି
ସଂମ୍ପର୍କର ସୂତା ଖିଅ
ନିବିଡ ପ୍ରେମରେ
ଆସେ ପ୍ରତାରଣା
ଆଖିରେ ଲୋତକ ସୁଅ ।
ମିଠା ମିଠା ସ୍ମୃତି
ସପନ ପାଲଟେ
ମନକୁ ପାରେନା ଛୁଇଁ
ଅଭିମାନ ମିଶା
ଦରଦୀ ପରାଣ
ନିମିଷକେ ଯାଏ ନଇଁ ।
ପୀରତି ଦୋଳିରେ
ଝୁଲେ ନାହିଁ ଫୁଲ
ଝୁରି ଝୁରି ଯାଏ ମରି
ଆଶା ଆକାଂକ୍ଷାର
କୁହୁଡି ଖେଳରେ
ନିଜେ ନିଜେ ଯାଏ ହାରି ।
ଦୂର ଦିଗନ୍ତରେ
ହଜିଗଲେ ଜହ୍ନ
କୁମୁଦ ଝୁରଇ ସିନା
ପ୍ରତାରଣା ଭରା
ତତଲା କୋହରେ
ହୃଦ ହୁଏ ଆମମନା ।
ଓଠ ଭୁଲିଯାଏ
ହସର ଠିକଣା
ଯଉବନ ହୁଏ ଫିକା
ନବ ମଧୁକାଳେ
ନୀରଵ ପରାଣ
ସାଜେ ମରୁ ମରୀଚିକା ।।

