ମୋ ଗାଆଁ ମୋ ନାଆଁ
ମୋ ଗାଆଁ ମୋ ନାଆଁ
ଜନମ ହୋଇଛି ଯେଉଁଠି ମୋହର
ପଡିଛି ଯେଉଁ ମାଟିରେ
ସେଇ ଗାଆଁ ମୋର ସରଗ ସମାନ
ବଢ଼ିଛି ଯାହା କୋଳରେ |
ତା' ପାଣି ଅମୃତ, ପବନ ମହକ
ଚନ୍ଦନଠୁ କମ୍ ନୁହେଁ
ଗାଆଁର ମୁଣ୍ଡରେ ଠାକୁରାଣୀ ଅଛି
ଆଶୀର୍ବାଦ ସଦା ରହେ |
ଗାଆଁ ନୁହେଁ ସେତ ପରିବାର ଗୋଟେ
ଜଣେ ଆଉ ଜଣ ପାଇଁ
ସାହାଯ୍ୟର ହାତ ବଢ଼ାନ୍ତି ସଭିଏଁ
ବିପଦ ଯାଏରେ ଧାଇଁ |
ବଡଭାଇଠାରୁ ଆଦର ପାଏ ମୁଁ
ସାନଠୁ ପାଏ ସମ୍ମାନ
ମିଳି ମିଶି ଆମେ ଖେଳକୁଦ କରୁ
ନଥାଏଟି ଅଭିମାନ |
ପୂଜାପର୍ବ ହେଉ କି ଯାନୀଯାତରା
ଏକାଠି ପାଳନ ହୁଏ
ପଡିଶାଘରକୁ ପିଠା,ମିଠା,ଖିରି
ଭୋଗ ଆଦି ବଣ୍ଟାଯାଏ |
ଗାଁ ଭାଉଜଙ୍କ ମୁଣ୍ଡରେ ଓଢଣା
ମୁରୁକି ମୁରୁକି ହସ
ସଞ୍ଜ ନଇଁ ଗଲେ ଏକାଠି ହୁଅନ୍ତି
କରିବାକୁ ଗପସପ |
କୁଆଁରୀ ଝିଅଙ୍କ ଭାଲୁକୁଣୀ ଓଷା
ରଜ, କୁମାର ପୂର୍ଣ୍ଣିମା
ପୁରୁଷପିଲାଏ କବାଡି ଖେଳନ୍ତି
ଭୁଲିପାରିବିନି ଜମା |
କୃଷକ ଭାଇଟି କ୍ଷେତକୁ ଯାଏରେ
ପଖାଳ କଂସାଏ ଖାଇ
ଖରା ବର୍ଷା ଶୀତ ମାନେ ନାହିଁ କିଛି
ଅମଳ ଦିଏ ଯୋଗାଇ |
ଗାଁ ମନ୍ଦିରରେ ଭଜନ କୀର୍ତ୍ତନ
ମନ ପବିତ୍ର କରାଏ
ଗାଁ ଅନୁଭୂତି ଯେତେ କହିଲେବି
ସେତେ କମ୍ ଲାଗୁଥାଏ |
ଗାଆଁ ସ୍କୁଲରେ ପାଠ ପଢି ଆଜି
ସହରେ କରେ ଚାକିରୀ
ଯଦି କିଛି ନାଆଁ କରିଥାଏ ଆଜି
ତା ପାଖେ ଅଛି ଆଭାରୀ |