ଅଭିମାନୀ ଭକ୍ତ
ଅଭିମାନୀ ଭକ୍ତ
ଭକତ ତୁମର ହୋଇପାରିଲିନି
ଦାସିଆ ବାଉରୀ ପରି
ହାତରୁ ମୋହର କେମିତି ନେବ ଯେ
ବଡ଼ ପଣ ଯିବ ସରି |
ଆସିଥିଲି ଧାଇଁ ଅନେକ ଦୂରରୁ
ଶାଗ ପଖାଳ ନେଇ
ଷାଠିଏ ପଉଟି ପାଖେ ତୁମ ମନ
ମତେ ପଚାରିବ କାଇଁ |
ବାଲିରଥେ ତୁମେ ବିଜେ ହୋଇଥିଲ
ଭକତର ଡାକ ଶୁଣି
କୁଡ଼ିଆରେ ତୁମ ପାଦ ପଡିଲାନି
ମନ କଥା ମୋର ଜାଣି |
ଭକତ ଆସିବା ବାଟକୁ ଅନେଇ
ରଥ ଅଟକାଇ ଦେଲ
ମୋ କଥା କି ତୁମ ମନେ ପଡିଲାନି
ଗୁଣ୍ଡିଚା ଯାତକୁ ଗଲ |
ଭାଈ ଭଉଣୀର ସାଥିରେ ରହିଛ
ସମ୍ପର୍କର ରଖି ମାନ
ମୋ ଭଲ ପାଇବା ଡାକ ଦେଉଅଛି
ଶୁଣୁନି ତୁମର କର୍ଣ୍ଣ |
ଶୁଣିଛି ତୁମକୁ ଗାଳି ଭଲ ଲାଗେ
ଚନ୍ଦନ ଲେପ ଯେମିତି
ହେଲେ ମୋର ପ୍ରେମ ଏମିତି ମଧୁର
ନିଷ୍ଠୁର ହେବି କେମିତି ।
ପତିତପାବନ ବାନା ଉଡାଇକି
କର ଦୁଃଖ ନିବାରଣ
ମୁଁ ନୁହେଁ ଦୁଃଖିକି ତୁମ ନଜରରେ
କର ମତେ ହଇରାଣ ।
ଟଙ୍କ ତୋରାଣି ଯେ ଭଲ ନ ଲାଗିବ
ମୋ ବାସି ପଖାଳ ଆଗେ
ଥରେ ଖାଇନେଲେ ମନ୍ଦିର ଛାଡି ମୋ
ଆସିବ ଘରକୁ ବେଗେ ।
ତୁମ ସିଂହଦ୍ଵାରେ ଠିଆ ମୁଁ ହୋଇଛି
ପଡୁନି ତୁମ ନଜର
ମିଛରେ କହୁଛ ଦୁନିଆ ଆଗରେ
ତୁମେ ଯେ ଭକ୍ତ ଜନର ।
କେମିତି ତୁମକୁ ପୂଜିବି କୁହ ହେ
କହିଲେ କରିବି ବ୍ରତ
ସବୁକିଛି ମୋର ମାନିଛି ତୁମକୁ
ହେବାକୁ ତୁମ ଭକତ |